ଭୁବନେଶ୍ୱର,୧୬/୧୧: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା। ଧୀରେ ଧୀରେ ଶକ୍ତିଶାଳୀ ହେଉଛି ଲଘୁଚାପ। ଆଗାମୀ କିଛି ଦିନ ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେଇପାରେ। ଏହାର ପ୍ରଭାବରେ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷ କରି ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ବିଗିଡ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରବିବାର ସକାଳେ ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଥିଲା। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ନଭେମ୍ବର ୧୭ ତାରିଖ ସୁଦ୍ଧା ଏହା ଆହୁରି ଶକ୍ତିଶାଳୀ ହୋଇ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କେବଳ ଓଡ଼ିଶା, ଆନ୍ଧ୍ର ନୁହେଁ ବରଂ ନଭେମ୍ବର ୧୯ରୁ ୨୧ ମଧ୍ୟରେ ଦକ୍ଷିଣ ୨୪ ପ୍ରଗଣା ଏବଂ ପୂର୍ବ ମେଦିନୀପୁରରେ ପ୍ରବଳ ବର୍ଷା ହୋଇପାରେ।