ନୂଆଦିଲ୍ଲୀ,୧୬/୧୧: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ ।ପ୍ରଗତିଶୀଳ ବିଶ୍ବର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ତଥା ବୈଜ୍ଞାନିକ ସ୍ଥିତି ସମ୍ପର୍କରେ ଜ୍ଞାତ ପାଇଁ ଗଣମାଧ୍ୟମ ହିଁ ସର୍ବଶ୍ରେଷ୍ଠ । କିନ୍ତୁ ସାମ୍ବାଦିକତା ଏକ ବିପଦପୂର୍ଣ୍ଣ ବୃତ୍ତି ବୋଲି ବିବେଚନା କରାଯାଇଥାଏ । ବାକ୍ ସ୍ବାଧିନତା ଅଧିକାରର ରକ୍ଷା ଏବଂ ସମ୍ମାନ ସରକାରଙ୍କ କର୍ତ୍ତବ୍ୟ । ଆଜି ନଭେମ୍ବର ୧୬ ତାରିଖରେ ଭାରତରେ ଜାତୀୟ ପ୍ରେସ ଦିବସ (National Press Day) ପାଳନ କରାଯାଉଛି । ସାରା ବିଶ୍ୱରେ ପାଳିତ ହେଉଥିବା ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ (World Press Freedom Day) ପ୍ରତିବର୍ଷ ମେ ୩ ତାରିଖରେ ପାଳନ କରାଯାଏ । ଏହି ଦିନର ଉଦ୍ଦେଶ୍ୟ ହେଉଛି ଗଣମାଧ୍ୟମର ସ୍ୱାଧୀନତାର ନୀତି ପାଳନ କରିବା, ଗଣମାଧ୍ୟମର ମୂଲ୍ୟାଙ୍କନ କରିବା ଏବଂ ଆକ୍ରମଣରୁ ରକ୍ଷା କରିବା ଏବଂ କାର୍ଯ୍ୟ କରିବା ସମୟରେ ଜୀବନ ହରାଇଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା । ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଅନେକ ନିୟମ ପ୍ରଣୟନ ହୋଇଥିଲେ ମଧ୍ୟ ଆଜି ମଧ୍ୟ ଆକ୍ରମଣର ଶୀକାର ହେଉଛନ୍ତି ସାମ୍ବାଦିକ । ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ (Press Council of India) ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଦିନକୁ ମନେ ରଖିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬କୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ ।