ଐତିହାସିକ କଟକ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୪/୧୧: ଏଥର ବାଲିଯାତ୍ରା ବହୁତୁ ଖାସ୍ । ଐତିହାସିକ କଟକ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଯୋଗଦେବେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ନଭେମ୍ବର ୨୪ ତାରିଖ ସନ୍ଧ୍ୟାରେ ସେ କଟକରେ ପହଞ୍ଚି ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ କଟକ ଜିଲ୍ଲାପାଳ ସ୍ପଷ୍ଟ କରିଥିବା ବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି । ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଆୟୋଜିତ ହେବ କଟକର ଏହି ପ୍ରସିଦ୍ଧ ମହୋତ୍ସବ । ରାଷ୍ଟ୍ରପତିଙ୍କ ଉପସ୍ଥିତି ଏଥର ବାଲିଯାତ୍ରାର ଆକର୍ଷଣକୁ ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି । ବାଲିଯାତ୍ରାକୁ ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର, କଟକ ଜିଲ୍ଲା ପ୍ରଶାସନ ଏବଂ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଚଳିତବର୍ଷ ଉପର ପଡ଼ିଆ ସହ ତଳ ପଡ଼ିଆରେ ମଧ୍ୟ ମେଳା ଆୟୋଜନ କରାଯିବ। ଫଳରେ ଅଧିକ ଷ୍ଟଲ୍, ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ । ଅନ୍ୟପଟେ, ବାଲିଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଓ ଯାନବାହନ ପାର୍କିଂକୁ ଗୁରୁତ୍ୱ ଦେଉଛି ପ୍ରଶାସନ । ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍କିଂ ସୁବିଧା ବଢ଼ାଇବା ସହ ଟ୍ରାଫିକ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉଛି।

Leave a Reply

Your email address will not be published. Required fields are marked *