ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ଆଉ ଏକ ପଦକ୍ଷେପ, ଯାଞ୍ଚ କରିବା ସମୟରେ କ୍ୟାମେରା ଲଗାଇବ ଟିମ୍

ନୂଆଦିଲ୍ଲୀ,୧୪/୧୧: ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ । ଏଣିକି ପ୍ରଦୂଷଣ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କେବଳ ନଜର ରଖିବେନି, ବରଂ ଯାଞ୍ଚ କରୁଥିବା ଅଧିକାରୀଙ୍କ ଉପରେ ମଧ୍ୟ କଡ଼ା ନଜର ରହିବ । ଏଥିପାଇଁ ‘ବାୟୁ ରକ୍ଷକ’ ଟିମ୍‌କୁ ବଡି କ୍ୟାମେରା ଦେବାକୁ ଯୋଜନା କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ଅନେକ ନିୟମ କରୁଥିବା ବେଳେ ଏହାର ଠିକ୍‌ ଭାବେ ଅନୁପାଳନ ହେଉଛି କି ନାହିଁ, ତାହା ଯାଞ୍ଚ କରିବାକୁ ଏହି ବ୍ୟବସ୍ଥା କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ପ୍ରବର୍ତ୍ତନ ଟିମ୍ ପାଇଁ ୧୦୦ଟି ବଡି କ୍ୟାମେରା କିଣାଯିବ । ପ୍ରତ୍ୟେକ ଟିମ୍‌ର ଜଣେ ସଦସ୍ୟ ଏହି କ୍ୟାମେରା ପିନ୍ଧିବେ। କୌଣସି ପ୍ରଦୂଷଣ ସମ୍ପର୍କିତ ଅଭିଯୋଗ ମିଳିବା ପରେ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ସମୟରେ କ୍ୟାମେରା ଚାଲୁ ରଖିବେ। ଏହି କ୍ୟାମେରା ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ରେକର୍ଡିଂ କରିପାରିବ ।

ସବୁଠାରୁ ବଡ଼ କଥା ହେଉଛି, ଏହି କ୍ୟାମେରାଗୁଡ଼ିକୁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ବା ଆଇସିସିସି ସହ ଯୋଡ଼ାଯିବ । ଫଳରେ କଣ୍ଟ୍ରୋଲ୍ ରୁମ୍‌ରେ ବସିଥିବା ବରିଷ୍ଠ ଅଧିକାରୀମାନେ ସିଧାସଳଖ ଭାବେ ଟିମ୍‌ର କାର୍ଯ୍ୟକଳାପ ଦେଖିପାରିବେ। କେଉଁଠି ଯାଞ୍ଚ ହେଉଛି, କିପରି ଯାଞ୍ଚ ହେଉଛି ଏବଂ ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି, ସବୁକିଛି ଉପରେ ରହିବ ନଜର ।

 

Leave a Reply

Your email address will not be published. Required fields are marked *