ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ପରେ ମାଡି ଆସିବ ଶୀତ

ଭୁବନେଶ୍ୱର,୧୧/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୪ ତାରିଖ ସୁଦ୍ଧା ସୁଦୃଶ୍ୟ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ନଭେମ୍ବର ୧୪ରୁ ୧୬ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ । ପବନର ଝଟକା ୬୦ କିଲୋମିଟର ଛୁଇଁବା ଆଶଙ୍କା ରହିଛି । ସେହିପରି ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନଭେମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ବର୍ଷା ହୋଇପାରେ । ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଧାନ ଅମଳ ଜୋରସୋରରେ ଚାଲିଛି । ଚାଷୀମାନେ ବିଲରୁ ଧାନ କାଟି ଖଳାକୁ ଆଣୁଥିବା ବେଳେ ପୁଣି ଲଘୁଚାପ ଓ ବର୍ଷା ଆଶଙ୍କା ଚିନ୍ତା ବଢ଼ାଇଛି । ବିଶେଷ କରି ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଭଳି ଉପକୂଳ ଜିଲ୍ଲାର ଚାଷୀମାନେ ପାଣିପାଗକୁ ନେଇ ଚିନ୍ତିତ । ସେପଟେ ଲଘୁଚାପ ଜନିତ ବର୍ଷା ଓ ମେଘୁଆ ପାଗ କମିବା ପରେ ରାଜ୍ୟକୁ ଉତ୍ତର ସାମୁଦ୍ରିକ ପବନ ବହିବା ଆରମ୍ଭ ହେବ । ଏହାର ପ୍ରଭାବରେ ନଭେମ୍ବର ଶେଷ ସପ୍ତାହ ଆଡ଼କୁ ରାତିର ତାପମାତ୍ରା ଯଥେଷ୍ଟ ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Leave a Reply

Your email address will not be published. Required fields are marked *