ନୂଆଦିଲ୍ଲୀ,୧୧/୧୦: ଆଫ୍ରିକୀୟ ଦେଶ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏକାସାଙ୍ଗେ ୬୬ ଜଣ ସୈନିକଙ୍କୁ ଶୁଣାଯାଇଛି ମୃତ୍ୟୁଦଣ୍ଡ । ଯୁଦ୍ଧକ୍ଷେତ୍ରରୁ ପଳାୟନ, ବିଦ୍ରୋହ ଏବଂ ସେନାର ଆଦେଶ ଅମାନ୍ୟ କରିବା ଭଳି ଅଭିଯୋଗରେ ଏହି ଦଣ୍ଡ ଶୁଣାଯାଇଛି । ତେବେ ଏହି ଘଟଣା ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ରିପୋର୍ଟ ଅନୁସାରେ, ଏକ ସାମରିକ ଅଦାଲତରେ ମୋଟ ୭୧ ଜଣ ସୈନିକଙ୍କ ବିରୋଧରେ ମାମଲା ଚାଲିଥିଲା। ସେଥିମଧ୍ୟରୁ ୬୬ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଅନ୍ୟ ଜଣେ ସୈନିକଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡ ଶୁଣାଯାଇଛି । ପୂର୍ବ କଙ୍ଗୋ ଅଞ୍ଚଳରେ ଦୀର୍ଘ ଦିନ ଧରି ସରକାରୀ ସେନା ଓ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗି ରହିଛି । M23 ସମେତ ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀ ବିରୋଧରେ ସେନା ଲଢ଼େଇ କରୁଛି । ଅଭିଯୋଗ ଅନୁସାରେ, ଅକ୍ଟୋବର ୨୦ ତାରିଖରେ ୱାଲିକାଲେ ଅଞ୍ଚଳରୁ ଏହି ସୈନିକମାନଙ୍କୁ ଗିରଫ କରାଯାଇଥିଲା । ବିଦ୍ରୋହୀ ଗୋଷ୍ଠୀ ସହ ମୁହାଁମୁହିଁ ସମୟରେ ସେମାନେ ନିଜ ମୋର୍ଚ୍ଚା ଛାଡ଼ି ପଳାଇଥିବା ଅଭିଯୋଗ ହୋଇଥିଲା । ସେନାରେ ଶୃଙ୍ଖଳା ଫେରାଇବା ଉଦ୍ଦେଶ୍ୟରେ ଏହି ବିଚାର ପ୍ରକ୍ରିୟା କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି ।