ଭୁବନେଶ୍ୱର,୦୯/୧୧: ଅମାନିଆ ରାଜଧାନିବାସୀ। କଟକଣାକୁ ଫୁ’… ରାତି ୧୨ଟା ଯାଏଁ ଫୁଟେଇଲେ ବାଣ । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିୟମ ହୋଇଥିଲା, କିନ୍ତୁ ତାହାକୁ ମାନିଲେନି ଅମାନିଆ । ଏହାର ପ୍ରଭାବରେ ବିଗିଡ଼ିଛି ରାଜଧାନୀ ଭୁବନେଶ୍ୱରର ବାୟୁ ଗୁଣବତ୍ତା । କେବଳ ଭୁବନେଶ୍ୱର ନୁହେଁ, ଟ୍ୱିନ୍ ସିଟି ସମେତ ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତି ଯାଏଁ ବାଣ ଫୁଟାଯାଇଥିବାରୁ ବାୟୁ ପ୍ରଦୂଷଣ ଚିନ୍ତା ବଢ଼ିଛି ।
ନିୟମ ଅନୁସାରେ, ରବିବାର ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଥିଲା । ହେଲେ ଏହି କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରି ରାତି ୧୨ଟା ଯାଏଁ ବାଣ ଫୁଟାଇଥିଲେ ଅନେକ ଲୋକ । ଫଳରେ ବାଣରୁ ନିର୍ଗତ ଧୂଆଁ ଓ ଧୂଳିକଣାରେ ଭରିଯାଇଥିଲା ପରିବେଶ ।
ସକାଳ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଥିଲା । ରାସ୍ତାଘାଟରେ କୁହୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦୃଶ୍ୟମାନତା ମଧ୍ୟ ପ୍ରଭାବିତ ହୋଇଥିଲା । ଏହାର ପ୍ରଭାବରେ ଯାନବାହନ ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେଇଥିଲା ।