ନୂଆଦିଲ୍ଲୀ,୦୬/୧୧: ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା କର୍ରା ଥାନା ଅନ୍ତର୍ଗତ କର୍ରା-ତୋରପା ମୁଖ୍ୟ ରାସ୍ତାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ଶିଶୁ, ୩ ଜଣ ମହିଳା ଓ ଜଣେ ପୁରୁଷଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ରାସ୍ତା କଡ଼ରେ ପୂର୍ବରୁ ଘଟିଥିବା ଗାଡ଼ି ଦୁର୍ଘଟଣା ଦେଖିବା ଏବଂ ଉଦ୍ଧାର କାର୍ୟ୍ୟ ପାଇଁ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ଏକ ଅନିୟନ୍ତ୍ରିତ ୧୮ ଚକିଆ ଟ୍ରକ୍ ଚଢ଼ିଯିବା ଫଳରେ ଏହି ଅଘଟଣ ଘଟିଛି। ତେବେ ଏଥିରେ ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୯:୪୫ ସମୟରେ କର୍ରା-ତୋରପା ରାସ୍ତାର ଯୋନେ-ଲୁଦ୍ରୁ ମୋଡ଼ ନିକଟରେ ଜଣେ ସ୍କୁଟର ଚାଳକ ଭାରସାମ୍ୟ ହରାଇ ନାଳ ମଧ୍ୟକୁ ଖସିପଡ଼ିଥିଲେ। ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ କୋଲୋନିର ମହିଳା, ଶିଶୁ ଓ ଅନ୍ୟ ଲୋକମାନେ ଉଦ୍ଧାର କାର୍ୟ୍ୟ ପାଇଁ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ଏହି ସମୟରେ ତୋରପା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ୧୮ ଚକିଆ ଟ୍ରକ୍ ମୋଡ଼ ନେବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଅନ୍ଧାର ଯୋଗୁଁ ଟ୍ରକ୍ ଚାଳକ ଭିଡ଼ ଦେଖିପାରି ନଥିବା ଅନୁମାନ କରାଯାଉଛି।