ଭୁବନେଶ୍ୱର,୦୫/୧୧: ରାଜଧାନୀ ଉପକଣ୍ଠ ଶିଶୁପାଳଗଡ଼ରେ ଘଟିଥିଲା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଗୁଳିମାଡ଼ରେ ତପନ ନାୟକ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଉମେଶ ପଟ୍ଟନାୟକ ଓ ତାଙ୍କର କିଛି ସାଙ୍ଗ ଫୋନ୍ କରି ତପନଙ୍କୁ ଡାକିଥିଲେ । ତପନ ଘରୁ ୮୦ ହଜାର ଟଙ୍କା ଓ ଏକ ସୁନା ଚେନ୍ ନେଇ ଯାଇଥିଲେ। ଉମେଶ ଓ ତାଙ୍କର କିଛି ସହଯୋଗୀ ତପନଙ୍କ ପାଖରେ କାମ କରୁଥିଲେ । ତେବେ କେଉଁ କାରଣରୁ ତାଙ୍କୁ ଡାକି ନେଇ ହତ୍ୟା କରାଗଲା, ସେନେଇ ପରିବାର ଲୋକେ କିଛି ଜାଣିନଥିବା କହିଛନ୍ତି।
ଅନ୍ୟପଟେ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତମାନେ ଉଦ୍ୟମ କରିଥିବା ପୋଲିସ ତଦନ୍ତରୁ ସୂଚନା ମିଳିଛି । ଗୁଳିମାଡ଼ରେ ବ୍ୟବହୃତ ବନ୍ଧୁକକୁ ଗଙ୍ଗୁଆ ନାଳରେ ଫିଙ୍ଗି ଦେବା ସହ ତପନଙ୍କ ମୃତଦେହକୁ ମେଡିକାଲ ନେଇଥିଲେ ଅଭିଯୁକ୍ତ। ତେବେ ହତ୍ୟା ପଛର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୁଲିସର ତଦନ୍ତ ପରେ ହିଁ ଏହାର କାରଣ ଜଣାପଡ଼ିବ ।