କୋଟିଆର ସ୍ଥିତି ସୁଧାରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର, ୦୪/୧୧: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ପ୍ରସଙ୍ଗରେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କୋଟିଆର ସ୍ଥିତି ସୁଧାରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷା ସହ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚ ସ୍ତରରେ ଆଲୋଚନା କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି ।ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଗତ ଅକ୍ଟୋବର ୧୯ ତାରିଖରେ ସେ କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ଚିଠି ଲେଖିଥିଲେ । ଏହାର ଉତ୍ତର ଅକ୍ଟୋବର ୨୭ ତାରିଖରେ ମିଳିଥିଲା । ହେଲେ ଏହା ପରେ ମଧ୍ୟ କୋଟିଆର ସ୍ଥିତିରେ କୌଣସି ସୁଧାର ଆସିନାହିଁ । ବରଂ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଏବଂ ମୁହାଁମୁହିଁ ସ୍ଥିତି ବଢ଼ୁଥିବା ନେଇ ରିପୋର୍ଟ ମିଳୁଥିବା ସେ କହିଛନ୍ତି । ଏହାସହ କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରାଇବାକୁ ଉଦ୍ୟମ କରୁଥିବା ପ୍ରସଙ୍ଗକୁ ନେଇ ନବୀନ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏଭଳି ପଦକ୍ଷେପ ଓଡ଼ିଶା ପାଇଁ ଗଭୀର ଚିନ୍ତାର ବିଷୟ । ତେଣୁ ସ୍ଥିତି ଆହୁରି ଜଟିଳ ହେବା ପୂର୍ବରୁ ରାଜ୍ୟ ସରକାର ଏହାର ସମାଧାନ ପାଇଁ  ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।

 

Leave a Reply

Your email address will not be published. Required fields are marked *