ନୂଆଦିଲ୍ଲୀ,୦୩/୧୧: ସର୍ବସାଧାରଣ ସ୍ଥାନରେ ଦୀର୍ଘ ସମୟ ଧରି ଧାରଣା ଓ ପ୍ରଦର୍ଶନ କରିବାର ଅଧିକାରକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, କୌଣସି ପ୍ରଦର୍ଶନକାରୀ ଗୋଷ୍ଠୀକୁ ସର୍ବସାଧାରଣ ସ୍ଥାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ନିଜ ଦଖଲରେ ରଖିବାକୁ ଅନୁମତି ଦିଆଯାଇପାରିବନି। ଏଥିସହିତ ଏଭଳି ପ୍ରଦର୍ଶନ ଯୋଗୁଁ ସାଧାରଣ ଲୋକ ଓ ଦୈନିକ ମଜୁରିଆଙ୍କ ଜୀବିକା ଉପରେ କି ପ୍ରଭାବ ପଡୁଛି, ତାହା ମଧ୍ୟ ବିଚାର କରିବାକୁ ପଡ଼ିବ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ୟ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅକ୍ଟୋବର ମାସରେ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ପ୍ରଦର୍ଶନ ସମ୍ପର୍କିତ ଆବେଦନର ଶୁଣାଣି ବେଳେ ଏଭଳି ଟିପ୍ପଣୀ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷର ଓକିଲ ଜନ୍ତରମନ୍ତରକୁ ପ୍ରଦର୍ଶନ ସ୍ଥଳ ତାଲିକାରୁ ବାଦ୍ ଦେବା ନିଷ୍ପତ୍ତିକୁ ବିରୋଧ କରିଥିଲେ। ଅନ୍ୟପଟେ ଏକ ବ୍ୟବସାୟୀ ସଂଗଠନ ପକ୍ଷରୁ ଲଗାତାର ଆନ୍ଦୋଳନ ଯୋଗୁଁ ବ୍ୟବସାୟରେ ବ୍ୟାପକ କ୍ଷତି ହେଉଥିବା ଦର୍ଶାଯାଇଥିଲା।
ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା ଜୁଲାଇ ମାସରେ ହୋଇଥିବା ଏକ ପ୍ରଦର୍ଶନର ଉଦାହରଣ ଦେଇଥିଲେ। ସେ କୋର୍ଟଙ୍କୁ କହିଥିଲେ, ମାତ୍ର ଗୋଟିଏ ଦିନ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ ପ୍ରଦର୍ଶନକାରୀମାନେ ୧୭ ଦିନ ଧରି ସେଠାରେ ବସି ରହିଥିଲେ।