ଭୁବନେଶ୍ୱର,୦୩/୧୧: ବାତ୍ୟା ମୁରାସୁର ପ୍ରଭାବ ଏବଂ ପରବର୍ତ୍ତୀ ପରିସ୍ଥିତିକୁ ନେଇ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ବାତ୍ୟାର ସେଭଳି କୌଣସି ସିଧାସଳଖ ପ୍ରଭାବ ନଥିଲେ ମଧ୍ୟ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା । ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଅନ୍ୟପଟେ ବାତ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏବେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ସହାୟତା ପ୍ୟାକେଜ୍ ଯେପରି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଜିଲ୍ଲାପାଳମାନେ କ୍ଷୟକ୍ଷତିର ପ୍ରାରମ୍ଭିକ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ସେହିପରି ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ବର୍ଷା ଉଦ୍ଧାର କାର୍ଯ୍ୟରେ କିଛିଟା ବାଧା ସୃଷ୍ଟି କରିଥିଲା । ତେବେ ଆଜିଠାରୁ ପୁଣି ଉଦ୍ଧାରକାରୀ ଟିମ୍ କାର୍ଯ୍ୟ ଆରମ୍ଭ କରୁଛନ୍ତି । ଅଟକି ରହିଥିବା ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।