ଭୁବନେଶ୍ୱର,୨/୧୧: ବିଶିଷ୍ଟ ଚିକିତ୍ସକ, ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି । କିଛିଦିନ ତଳେ ମସ୍ତିଷ୍କଜନିତ ଯନ୍ତ୍ରଣାରେ ଅସୁସ୍ଥ ହୋଇ ଡା. ମହାପାତ୍ର ଭୁବନେଶ୍ୱର ସ୍ଥିତ ଏଜ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ । ପରବର୍ତ୍ତୀ ସମୟରେ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏହି ସ୍ଥାନାନ୍ତରଣ ସମୟରେ ତାଙ୍କ ସହ ଏକ ସ୍ୱତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଦଳ ମଧ୍ୟ ଯାଇଥିଲେ । ପରିବାର ସଦସ୍ୟ ତାଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିଲେ । ସୂଚନାଯୋଗ୍ୟ ଯେ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଡା. ମହାପାତ୍ର ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ । ଚିକିତ୍ସା କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ଓ ସେବା ପାଇଁ ଭାରତ ସରକାର ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।