ଭୁବନେଶ୍ୱର,୨/୧୧: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଆସିଛି ନୂଆ ମୋଡ଼ । ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ଅନ୍ୟପଟେ ଏହି ମାମଲାରେ ଆଗୁଆ ଜାମିନ ଆବେଦନକୁ ନେଇ ହାଇକୋର୍ଟରେ ମଧ୍ୟ ଶୁଣାଣି ହୋଇଛି । ହେଲେ ବିଦ୍ୟାଭାରତୀଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । କେବଳ ସେତିକି ନୁହେଁ, ମାମଲାର ତଦନ୍ତ ସମ୍ପର୍କିତ କେସ୍ ଡାଏରି ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଛୁଟି ପରେ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୨୦୨୧ ଜୁଲାଇ ୧୨ ତାରିଖରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ବାପା ଅଭିରାମ ମହାପାତ୍ର ଏହାକୁ ହତ୍ୟା ବୋଲି ଅଭିଯୋଗ କରିଥିଲେ । ଏଥିରେ ବୋହୂ ବିଦ୍ୟାଭାରତୀ ଏବଂ ତତ୍କାଳୀନ ଡିଏଫଓଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଥିଲେ । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା । ବିଦ୍ୟାଭାରତୀଙ୍କ ଅବହେଳାକୁ ନେଇ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଅଭିଯୋଗ ଉଠାଯାଇଥିବା ବେଳେ ତାଙ୍କୁ ନୋଟିସ୍ ଜାରି କରି ତଦନ୍ତ ଶେଷ କରାଯାଇଥିଲା । ଏହି ମାମଲାରେ ତତ୍କାଳୀନ ଡିଏଫଓ ଏବଂ ରୋଷେୟା ପୂର୍ବରୁ ଜେଲରେ ଅଛନ୍ତି ।