ଭୁବନେଶ୍ୱର,୧/୧୧: ବାତ୍ୟା ଅର୍ଣ୍ଣବ ପରେ ହୋଇଥିବା ବନ୍ୟା ପ୍ରକୋପରେ ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଛି। ଏହାରି ମଧ୍ୟରେ ବାତ୍ୟା ପ୍ରଭାବିତଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ଥିତିକୁ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି । ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ଘୋଷିତ ସହାୟତା ଲାଗୁ କରାଯିବ। ଆବଶ୍ୟକ ପଡ଼ିଲେ ଅତିରିକ୍ତ ପ୍ୟାକେଜ୍ ମଧ୍ୟ ଦିଆଯିବ । ଏଥିପାଇଁ ସପ୍ଲିମେଣ୍ଟାରୀ ବଜେଟ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯିବ ।
ବାତ୍ୟା ଓ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ମୁଣ୍ଡପିଛା ୫୦ କେଜି ଚାଉଳ ସହ ୨,୫୦୦ ଟଙ୍କା ଦିଆଯିବ । ଘର ସମ୍ପୂର୍ଣ୍ଣ କିମ୍ବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସମତଳ ଅଞ୍ଚଳରେ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳରେ ୧ ଲକ୍ଷ ୩୦ ହଜାର ଟଙ୍କା ସହାୟତା ମିଳିବ ।
ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା ଓ କଚ୍ଚା ଘର ପାଇଁ ୪,୦୦୦ ଟଙ୍କା ଦିଆଯିବ । ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କୁଡ଼ିଆ ପାଇଁ ୮,୦୦୦ ଟଙ୍କା ଏବଂ ଘର ସଂଲଗ୍ନ ଗୁହାଳ କ୍ଷତିଗ୍ରସ୍ତ ହୋଇଥିଲେ ୩,୦୦୦ ଟଙ୍କା ମିଳିବ ।
ଦୁଇ ଦିନରୁ ଅଧିକ ସମୟ ବନ୍ୟାଜଳରେ ଜଳମଗ୍ନ ରହିଥିବା କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଘରର ପରିବାରକୁ ପୋଷାକପତ୍ର ପାଇଁ ୨,୫୦୦ ଟଙ୍କା ଏବଂ ବାସନକୁସନ ଓ ଘରକରଣା ସାମଗ୍ରୀ ପାଇଁ ଆଉ ୨,୫୦୦ ଟଙ୍କା ଅନୁଗ୍ରହମୂଳକ ସହାୟତା ଦିଆଯିବ ।
ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ଜମି ପର୍ଯ୍ୟନ୍ତ କୃଷି ନିବେଶ ସହାୟତା ମିଳିବ । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ନିଶ୍ଚିତ ଜଳସେଚିତ ଜମି ପାଇଁ ୧୭ ହଜାର ଟଙ୍କା ଏବଂ ବାରମାସୀ ଫସଲ ପାଇଁ ୨୨,୫୦୦ ଟଙ୍କା ଦିଆଯିବ ।
ଚାଷଜମିରେ ବାଲି ଓ ପଟୁମାଟି ଜମିଥିଲେ ତାହାକୁ ହଟାଇବା ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ମିଳିବ । ଆଖୁ ଚାଷୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସହାୟତା ରହିଛି । ପ୍ରଭାବିତ ୨ ହଜାର ହେକ୍ଟର ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ସ୍ପେସ୍ ଟ୍ରାନ୍ସପ୍ଲାଣ୍ଟିଂ ପଦ୍ଧତି ପ୍ରଦର୍ଶନ ପାଇଁ ହେକ୍ଟର ପିଛା ୨୭,୫୦୦ ଟଙ୍କା କିମ୍ବା ରାଟୁନ୍ ଫସଲ ପରିଚାଳନା ପାଇଁ ୧୨,୫୦୦ ଟଙ୍କା ଦିଆଯିବ ।
ବାତ୍ୟାରେ କ୍ଷତିଗ୍ରସ୍ତ ପ୍ରଭାବିତ ଅସ୍ଥାୟୀ ଦୋକାନୀଙ୍କୁ ୬,୦୦୦ ଟଙ୍କା ଏବଂ ବଡ଼ ଦୋକାନ ପାଇଁ ୨୫ ହଜାର ଟଙ୍କା ଦିଆଯିବ । ବାତ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟଚାଷୀଙ୍କୁ ହେକ୍ଟର ପିଛା ସର୍ବାଧିକ ୧ ଲକ୍ଷ ୧୨ ହଜାର ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବ । ବାତ୍ୟା ଦ୍ୱାରା ପ୍ରଭାବିତ ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫,୦୦୦ ଟଙ୍କାର ସିଡ୍ ମନି ଦିଆଯିବ ।
ଅନ୍ୟପଟେ କ୍ଷୟକ୍ଷତିର ଆକଳନ ପାଇଁ ନଭେମ୍ବର ୨ ତାରିଖରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବ । ଏହି ଟିମ୍ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବାତ୍ୟା ଓ ବନ୍ୟାଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିବ ।