ଆଗକୁ ଆସୁଛି ଦୀପାବଳି, ବାଣ ଫୁଟାଇବାକୁ ନେଇ ଗାଇଡଲାଇନ୍ ଜାରି

ଭୁବନେଶ୍ୱର,୩୧/୧୦: ଦୀପାବଳି ପର୍ବକୁ ପ୍ରଦୂଷଣମୁକ୍ତ ଓ ସୁରକ୍ଷିତ ଭାବେ ପାଳନ କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ପକ୍ଷରୁ ବାଣ ଫୁଟାଇବା ନେଇ ଜାରି ହୋଇଛି ପରାମର୍ଶମୂଳକ ନିର୍ଦ୍ଦେଶାବଳୀ । ବାୟୁ ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ସହ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ବୋର୍ଡ ପକ୍ଷରୁ ଏହି ଗାଇଡଲାଇନ୍ ଜାରି କରାଯାଇଛି। ଗାଇଡଲାଇନ୍ ଅନୁଯାୟୀ, ଦୀପାବଳିରେ କେବଳ ଅନୁମୋଦିତ ସବୁଜ ବାଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବାଣ କିଣିବା ସମୟରେ ସେଥିରେ CSIR-NEERIର ଲୋଗୋ ଓ QR କୋଡ୍ ରହିଛି କି ନାହିଁ ଯାଞ୍ଚ କରିବାକୁ କୁହାଯାଇଛି । ବାଣରେ ବାରିୟମ୍ (Barium) ଏବଂ ଅନ୍ୟାନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ଉପରେ କଟକଣା ରହିଛି । ସେହିପରି ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ନିର୍ଦ୍ଧାରିତ ଶବ୍ଦ ସୀମା ଅତିକ୍ରମ କରୁଥିବା ବାଣ ବ୍ୟବହାର ନକରିବାକୁ କୁହାଯାଇଛି। ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ନିରବ ଅଞ୍ଚଳ (Silence Zone)ରେ ବାଣ ଫୁଟାଇବାରୁ ନିବୃତ୍ତ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବାଣ ଫୁଟାଇବା ସମୟରେ ସୁରକ୍ଷା ନିୟମ ପାଳନ କରିବା ସହ ଖୋଲା ଓ ସୁରକ୍ଷିତ ସ୍ଥାନ ଚୟନ କରିବାକୁ ବୋର୍ଡ ପରାମର୍ଶ ଦେଇଛି। ଜଳି ନଥିବା ବାଣକୁ ପୁନର୍ବାର ଜଳାଇବାକୁ ଚେଷ୍ଟା ନକରିବା ଏବଂ ଛୋଟ ପିଲାଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି । ପରିବେଶ ସୁରକ୍ଷା ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସମସ୍ତେ ନିୟମ ମାନି ଦୀପାବଳି ପାଳନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Leave a Reply

Your email address will not be published. Required fields are marked *