ଭୁବନେଶ୍ୱର,୨୪/୧୦: ଦେଶର ୧୧ କୋଟି କୃଷକଙ୍କ ପାଇଁ ସ୍ୱତନ୍ତ୍ର ଡିଜିଟାଲ୍ ପରିଚୟପତ୍ର ପ୍ରସ୍ତୁତ ହୋଇଛି। ଏହା ଧାର୍ଯ୍ୟ ସମୟର ୫ ମାସ ପୂର୍ବରୁ ପୂରଣ ହୋଇଛି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଏହି ସୂଚନା ଦେଇଛନ୍ତି । ଅକ୍ଟୋବର ୨୩ ତାରିଖ ରାତି ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହୋଇଥିବା ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ‘ଡିଜିଟାଲ୍ କୃଷି ମିସନ’ ଅଧୀନରେ ‘ଆଗ୍ରିଷ୍ଟାକ୍’ ବ୍ୟବସ୍ଥା ମାଧ୍ୟମରେ କୃଷକଙ୍କ ଏହି ଡିଜିଟାଲ୍ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି । ଏଥିରେ ପ୍ରତ୍ୟେକ କୃଷକଙ୍କୁ ୧୧ ଅଙ୍କ ବିଶିଷ୍ଟ ଏକ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ପ୍ରଦାନ କରାଯାଉଛି । ଏହି ଯୋଜନାର ଲକ୍ଷ୍ୟ ୨୦୨୭ ମାର୍ଚ୍ଚ ସୁଦ୍ଧା ପୂରଣ କରିବାକୁ ସରକାର ଧାର୍ଯ୍ୟ କରିଥିଲେ । କିନ୍ତୁ ନିର୍ଦ୍ଧାରିତ ସମୟର ୫ ମାସ ପୂର୍ବରୁ ଏହି ସଫଳତା ମିଳିଛି । କୃଷକଙ୍କ ଡିଜିଟାଲ୍ ପରିଚୟପତ୍ର ଦ୍ୱାରା ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବା ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସହଜ ହେବ । ଏଥିସହ ବାରମ୍ବାର କାଗଜପତ୍ର ଦାଖଲ କରିବାର ଆବଶ୍ୟକତା ମଧ୍ୟ କମିବ । ବ୍ୟାଙ୍କ ଋଣ, ଫସଲ ବୀମା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରୀ ସହାୟତା ଏବଂ କୃଷିଜାତ ଉତ୍ପାଦ ବିକ୍ରି ଭଳି କ୍ଷେତ୍ରରେ ଏହି ପରିଚୟପତ୍ର ଉପଯୋଗୀ ହେବ ।