ଭୁବନେଶ୍ୱର,୧୮/୧୦: ମହାମାୟାଙ୍କ ଆଗମନରେ ଉତ୍ସବମୁଖର ଗାଁଠୁ ସହର। ଆଜି ପୀଠରେ ମହାଷ୍ଟମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ମହାସପ୍ତମୀ ପୂଜା ଚାଲିଛି। ମହାଷ୍ଟମୀ ଅବସରରେ ଉତ୍ସବମୁଖର ହୋଇଉଠିଛି ବାଙ୍କିର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ଶକ୍ତିପୀଠ। ଆଜି ମା’ଙ୍କ ନିକଟରେ ଷୋଡ଼ଶ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି। ଭୋର ୪ଟାରୁ ସେବାୟତମାନେ ମହାନଦୀରୁ ୧୦୮କଳସୀରେ ପବିତ୍ର ଜଳ ଆଣିଵା ପରେ ମା’ଙ୍କ ମାଜଣା କରାଯାଇଥାଏ।
ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବଲ୍ଲଭ ପୂଜା ପରେ ମା’ଙ୍କ ନିକଟରେ ସକାଳ ଧୂପ ଓ ମାଣ୍ଡୁକ ଭୋଗ ଲାଗି ହୋଇଥାଏ। ପରମ୍ପରା ଅନୁଯାୟୀ ଅପରାହ୍ନରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ଜଗତଜନନୀ ମାଆ ଚର୍ଚ୍ଚିକା। ମା’ଙ୍କ ଏହି ମନୋରମ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା ଶାରଳାଙ୍କ ର ଆଜି ମହାଷ୍ଟମୀ ପୂଜା। ଆଜି ମା ମହାଗୌରୀ ରୂପରେ ପୂଜା ପାଇବା ସହିତ ଏହି ଦୁର୍ଲ୍ଲଭ ରୂପରେ ଶ୍ରଦ୍ଧାଳୁଙ୍କ ମା ଦର୍ଶନ ଦେଉଛନ୍ତି। ସେପଟେ ମହାଷ୍ଟମୀ ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ। ଭୋରରୁ ଶାସନ ବ୍ରାହ୍ମଣ ମାନେ ବୈତରଣୀ ନଦୀରୁ ଜଳ ଆଣି ମା’ଙ୍କ ସ୍ନାନ କରିବା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ମା। ଏହି ଅବସରରେ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ସୁଯୋଗ ମିଳିଥିବାରୁ ଆଜି ପ୍ରବଳ ଭିଡ ପରିଲକ୍ଷିତ ହୋଇଛି।