ନୂଆଦିଲ୍ଲୀ,୧୮/୧୦: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଭୟଙ୍କର ଦୁର୍ଘଟଣା ଘଟିଛି। ଶୀତଲା ମାତା ମନ୍ଦିର ରୋଡ୍ରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ରାସ୍ତାରେ ଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଯାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରେ ଦୁଇଜଣ ପୁଲିସ କର୍ମଚାରୀ ମଧ୍ୟ ଅଛନ୍ତି ।ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୧ଟା ସମୟରେ ଟ୍ରକ୍ଟି ଦ୍ରୁତ ଗତିରେ ଆସିଥିଲା । ନିୟନ୍ତ୍ରଣ ହରାଇ ଏହା ମନ୍ଦିରର ବାହାର ପାଚେରିରେ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ପାଚେରି ଭୁଶୁଡ଼ି ପଡ଼ିଥିଲା । ପରେ ଟ୍ରକ୍ଟି ରାସ୍ତାରେ ଥିବା ଲୋକଙ୍କୁ ଧକ୍କା ଦେବା ସହ ଅନେକ ଦୋକାନକୁ ମଧ୍ୟ କ୍ଷତିଗ୍ରସ୍ତ କରିଥିଲା । ପାଚେରି ଭାଙ୍ଗି ପଡ଼ିବା ପରେ ମାଟି ଓ ଭଗ୍ନାବଶେଷ ତଳେ ପ୍ରାୟ ୪୦ରୁ ୫୦ ଜଣ ଲୋକ ଫସିଥିଲେ । ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।