ଭୁବନେଶ୍ୱର,୧୦/୧୦: ଭୁବନେଶ୍ୱରସ୍ଥିତ ଆର୍ଆଣ୍ଡ୍ବି ଡିଭିଜନ୍-୧ କାର୍ଯ୍ୟାଳୟରେ ୯ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ ମାମଲା । ଏହି ମାମଲାରେ ଓଡ଼ିଶା ଭିଜିଲାନ୍ସ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଟ୍ରେଜେରି କର୍ମଚାରୀ ମଧ୍ୟ ଅଛନ୍ତି। ସେମାନେ ହେଲେ ଭୁବନେଶ୍ୱର ଜିଲ୍ଲାଟ୍ରେଜେରି କାର୍ଯ୍ୟାଳୟର ବରିଷ୍ଠ ହିସାବରକ୍ଷକ କୃଷ୍ଣଚନ୍ଦ୍ର ବେହେରା, ପୁରୀ ଆର୍ଆଣ୍ଡ୍ବି ଡିଭିଜନ୍ର ବରିଷ୍ଠ ସହାୟକ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ କାର୍ଯ୍ୟାଳୟର ପିଅନ କୁମୁଦ ସାହୁ। ଗିରଫ ପରେ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି। ଏହି ମାମଲାରେ ଆର୍ଆଣ୍ଡ୍ବି ଡିଭିଜନ୍-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଟ ୯,୨୪,୧୦,୧୯୩ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ ରହିଛି। ଏହା ପୂର୍ବରୁ ୨୭ ସେପ୍ଟେମ୍ବର ୨୦୨୬ରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବନଲତା ମହାନ୍ତି (ସେକ୍ସନ ଅଫିସର) ଏବଂ ବିଭୁଦତ୍ତ ନାୟକ (ଜୁନିୟର ଆସିଷ୍ଟାଣ୍ଟ)ଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇ ଜେଲ୍ ହାଜତକୁ ପଠାଯାଇଥିଲା।