ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ, ୨୦ ହଜାର ଯବାନଙ୍କ କଡ଼ା ପହରା

ନୂଆଦିଲ୍ଲୀ,୧୦/୧୦: କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଜନ୍ତରମନ୍ତରଠାରେ ପ୍ରସ୍ତାବିତ ପ୍ରତିବାଦ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକା ଏସଆଇଆର୍ ପ୍ରସଙ୍ଗରେ ହେବାକୁଥିବା ଏହି ଆନ୍ଦୋଳନର ପ୍ରଭାବ ରାଜଧାନୀର ଟ୍ରାଫିକ୍, ରେଳ ଓ ମେଟ୍ରୋ ସେବା, ବଜାର ଏବଂ ସାଧାରଣ ଜୀବନଯାତ୍ରା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ପୋଲିସ ଏହି ପ୍ରଦର୍ଶନ ପାଇଁ ଅନୁମତି ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛି । ଏହା ସହିତ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ସୀମାଞ୍ଚଳରେ ଅତିରିକ୍ତ ବଳ ମୁତୟନ, ମେଟ୍ରୋ ଷ୍ଟେସନଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ବନ୍ଦ, ଟ୍ରେନ୍ ବାତିଲ ଏବଂ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ବିଶେଷ କରି ଜନ୍ତରମନ୍ତର, ଜନପଥ, ନିର୍ବାଚନ ଆୟୋଗ ଏବଂ ପୁଲିସ ମୁଖ୍ୟାଳୟ ଅଞ୍ଚଳକୁ ଅତି ସମ୍ବେଦନଶୀଳ ଘୋଷଣା କରାଯାଇ ସୁରକ୍ଷା ବ୍ୟବସ୍ଥାରେ ଛାଉଣି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିବା ପାଇଁ ନୂଆଦିଲ୍ଲୀ ଜିଲ୍ଲାକୁ ୨୦ଟି ଜୋନରେ ବିଭକ୍ତ କରାଯାଇ ପ୍ରତ୍ୟେକ ଜୋନରେ ଆଇପିଏସ୍ ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡ଼ା ୩୦୦ରୁ ଅଧିକ ଅତିରିକ୍ତ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ବିନା ଅନୁମତିରେ ଆନ୍ଦୋଳନକୁ ଆସୁଥିବା ଲୋକଙ୍କୁ ଅଟକ ରଖିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ୧୨ଟି ଅଟକ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ରାଜଧାନୀର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ୨୦ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *