ୟୁକ୍ରେନ ଉପରେ ରୁଷର ପୁଣି ଥରେ ବଡ଼ ଧରଣର ଆକ୍ରମଣ, ୧୧ମୃତ

ନୂଆଦିଲ୍ଲୀ,୦୭/୧୦: ୟୁକ୍ରେନ ଉପରେ ରୁଷ ପୁଣି ଥରେ ବଡ଼ ଧରଣର ଆକ୍ରମଣ କରିଛି । ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, କିଭ୍ ସମେତ ୟୁକ୍ରେନର ଅନେକ ଅଞ୍ଚଳରେ ସାମରିକ ଶିଳ୍ପ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ରଣନୈତିକ ଲକ୍ଷ୍ୟ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ସ୍ଥଳ, ସମୁଦ୍ର ଓ ଆକାଶପଥରୁ ନିକ୍ଷେପ କରାଯାଉଥିବା ଅସ୍ତ୍ର ବ୍ୟବହାର ହୋଇଥିବା ରୁଷ ପକ୍ଷରୁ କୁହାଯାଇଛି ।

ରୁଷର ଦାବି ଅନୁସାରେ, କିଭ୍‌ରେ ସେହି ସ୍ଥାନଗୁଡ଼ିକୁ ଟାର୍ଗେଟ କରାଯାଇଛି, ଯେଉଁଠାରେ ଫ୍ଲେମିଙ୍ଗୋ କ୍ରୁଜ୍ ମିସାଇଲ୍ ସହ ମଧ୍ୟମ ଓ ଦୂରଗାମୀ ଡ୍ରୋନ୍‌ର ନିର୍ମାଣ ଏବଂ ସଂରକ୍ଷଣ କରାଯାଉଥିବା କୁହାଯାଇଛି । କିଭ୍ ବ୍ୟତୀତ ଚେର୍ନିହିଭ୍, କିରୋଭୋହ୍ରାଦ୍, ଡ୍ନିପ୍ରୋପେଟ୍ରୋଭସ୍କ୍, ପୋଲ୍ଟାଭା ଓ ଖାରକିଭ୍ ଅଞ୍ଚଳରେ ମଧ୍ୟ ସାମରିକ-ଶିଳ୍ପ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରାଯାଇଥିବା ରିପୋର୍ଟ ରହିଛି ।

ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି କହିଛନ୍ତି ଯେ, ରୁଷ ପ୍ରାୟ ୭୦ଟି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ବ୍ୟବହାର କରି ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ ମୁଖ୍ୟତଃ ଟାର୍ଗେଟ କରିଛି । ଏହି ଭୟଙ୍କର ଆକ୍ରମଣରେ ୧୧ ଜଣଙ୍କ ଜୀବନ ଯାଇଥିବା ସେ କହିଛନ୍ତି । ଜେଲେନସ୍କି ରୁଷକୁ କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *