ଭୁବନେଶ୍ୱର,୦୨/୧୦: ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ନଭେମ୍ବର ୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହା ଚାଲିବ । ଭୁବନେଶ୍ୱର ବିମାନବନ୍ଦର ନିକଟସ୍ଥ ରାଜ ପଡ଼ିଆରୁ ପଦଯାତ୍ରାର ଶୁଭାରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ ।ଦଳୀୟ ନେତା ଓ କର୍ମୀମାନେ ଗାଁ, ୱାର୍ଡ, ବ୍ଲକ୍ ଓ ସଂଗଠନାତ୍ମକ ଜିଲ୍ଲାସ୍ତରରେ ଲୋକଙ୍କ ନିକଟକୁ ଯାଇ ଜନସମ୍ପର୍କ କରିବେ।
ତାଙ୍କ ମତରେ, ବିଜୁ ଜନତା ଦଳ ନିଜର କାର୍ଯ୍ୟ ଓ ଲୋକଙ୍କ ପାଇଁ କରିଥିବା କାମ ଯୋଗୁଁ ସବୁବେଳେ ଲୋକଙ୍କ ହୃଦୟରେ ରହିଛି ଏବଂ ଆଗକୁ ମଧ୍ୟ ରହିବ। ରାଜ୍ୟର ବର୍ତ୍ତମାନ ପରିସ୍ଥିତିକୁ ନେଇ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ଓଡ଼ିଶା ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ସରକାର ନିଜକୁ ଲୋକଙ୍କ ସରକାର ବୋଲି କହୁଥିଲେ ମଧ୍ୟ ଲୋକଙ୍କ ସମସ୍ୟା ଶୁଣିବାକୁ କେହି ନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ପିଲାଙ୍କ ପାଠପଢ଼ା ପାଇଁ ପାଠ୍ୟପୁସ୍ତକ ନଥିବା, ବୟସ୍କଙ୍କ ପେନ୍ସନ୍ ସମସ୍ୟା, ଚାଷୀ ଓ ମହିଳାଙ୍କ ସମସ୍ୟା ସହ ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ମଧ୍ୟ ନବୀନ ପ୍ରଶ୍ନ ଉଠାଇଥିଲେ।
ଖଣି ନୀତି ପ୍ରସଙ୍ଗରେ ମଧ୍ୟ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଓ ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଥିଲେ। ଖଣି ସମ୍ପଦ ଉପରେ ଓଡ଼ିଶାବାସୀଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ବିଜେଡିର ଅଭିଯୋଗକୁ ସେ ପୁଣିଥରେ ଦୋହରାଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ଜେନା, ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏବଂ ମନ୍ମଥ ରାଉତରାୟଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।