ନୂଆଦିଲ୍ଲୀ,୨୭/୦୯: ଜଳନ୍ଧର-ଦିଲ୍ଲୀ ଜିଟି ରୋଡରେ ଅବସ୍ଥିତ ଲଭଲି ପ୍ରଫେସନାଲ୍ ୟୁନିଭରସିଟି (ଏଲପିୟୁ) କ୍ୟାମ୍ପସରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଛାତ୍ର ବିରୋଧ, ଭଙ୍ଗାରୁଜା ଏବଂ ପୋଡ଼ାଜଳା ହୋଇଥିବା ରିପୋର୍ଟ ଆସିଛି। ସୂଚନା ଅନୁଯାୟୀ, ମହିଳା ହଷ୍ଟେଲ ସହିତ ଜଡିତ ଏକ ଗମ୍ଭୀର ଘଟଣାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ସେ ନିଜ ଜୀବନ ନେଇଥିବା କୁହାଯାଉଛି। ଏହି ଘଟଣାରେ ଜଣେ କର୍ମଚାରୀ ସାମିଲ ଥିବା ଉତ୍ୟକ୍ତ ଛାତ୍ର ଦାବି କରିଛନ୍ତି। ପୋଲିସ କିମ୍ବା ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏହି ଦାବିଗୁଡ଼ିକର କୌଣସି ଆନୁଷ୍ଠାନିକ ନିଶ୍ଚିତତା ମିଳି ନଥିଲେ ମଧ୍ୟ, ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓଗୁଡ଼ିକରେ ଦେଖାଯାଉଛି ବହୁ ସଂଖ୍ୟକ ଛାତ୍ର ଏକତ୍ରିତ ହୋଇ ଘଟଣାର ପ୍ରତିବାଦ କରୁଛନ୍ତି।ପ୍ରତିବାଦକାରୀ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ଗେଟ୍ ଭଙ୍ଗାରୁଜା କରିଥିଲେ ଏବଂ ପରେ ଚଣ୍ଡିଗଡ଼-ଅମୃତସର ଜାତୀୟ ରାଜପଥରେ ଧାରଣା ଦେଇଥିଲେ, ଏହାକୁ ଅବରୋଧ କରିଥିଲେ। କପୁରଥଲା ପୋଲିସ ଅଧିକ୍ଷକ ଗୌରବ ଟୁରା ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୁଲିସର ସୂଚନା ଅନୁଯାୟୀ, ବାଳିକା ହଷ୍ଟେଲ ନିକଟରେ ପ୍ରତିବାଦ ଆରମ୍ଭ ହୋଇଥିଲା। ପୁଲିସ କହିଛି, ତଦନ୍ତ ସମାପ୍ତ ହେବା ପରେ ହିଁ ସ୍ପଷ୍ଟ ହେବ ଯେ, ଛାତ୍ରୀ ଜଣକ ପ୍ରକୃତରେ କୌଣସି ଘଟଣାର ଶିକାର ହୋଇଥିଲେ ନା ଏହା ଗୁଜବ।