ଭୁବନେଶ୍ୱର,୨୭/୦୯: ସୁବର୍ଣ୍ଣରେଖା ନଦୀରେ ଆସିଛି ଆଉ ଏକ ବଡ଼ ବନ୍ୟା । ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ୫ ହଜାର ୮୦୦ କ୍ୟୁସେକ ପାଣି ଛଡ଼ାଯିବା ପରେ ଉତ୍ତର ବାଲେଶ୍ୱରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକ ପ୍ରଭାବିତ ହୋଇଛି । ବିଶେଷ କରି ବାଲିଆପାଳ ଓ ଭୋଗରାଇରେ ବନ୍ୟାର ପ୍ରଭାବ ଅଧିକ ରହିଛି । ରାଜଘାଟରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୧୧.୬୮ ମିଟରରେ ପ୍ରବାହିତ ହେଉଛି । ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତର ୪୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇଛି । ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟାତ ପାଇଁ ୯ଟି ଡଙ୍ଗା, ୩ଟି ଓଡ୍ରାଫ୍ ଟିମ୍ ଓ ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ୧୦ ହଜାରରୁ ଅଧିକ ଚାଷଜମି ଜଳମଗ୍ନ ହୋଇଛି । ସେପଟେ ଭଦ୍ରକରେ ବନ୍ୟା ସ୍ଥିତି ବେହାଲ । ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୮.୭୪ ମିଟରରେ ପହଞ୍ଚିଛି । ସେହିପରି ରାଜଘାଟରେ ସାଳନ୍ଦୀ ନଦୀର ବିପଦ ସଙ୍କେତ ୧୭ ଫୁଟ ଥିବାବେଳେ ବର୍ତ୍ତମାନ ୧୯.୫୦ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି । ସାଳନ୍ଦୀ ବନ୍ୟା ଯୋଗୁଁ ଭଦ୍ରକ ପୌରପାଳିକାର ୭ଟି ୱାର୍ଡ ଜଳାର୍ଣ୍ଣବ ହୋଇଛି ।