ନୂଆଦିଲ୍ଲୀ,୧୧/୦୯: ୟୁଏଇ-ଓଡ଼ିଶା ନିବେଶକ ସମ୍ମିଳନୀରୁ ରାଜ୍ୟକୁ ବିପୁଳ ବିଦେଶୀ ପୁଞ୍ଜି ନିବେଶର ପ୍ରସ୍ତାବ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ସଫଳ ଆଲୋଚନା ପରେ ସହଭାଗିତାର ହାତ ବଢ଼ାଇଛନ୍ତି ବହୁ ଶିଳ୍ପପତି। ଖାସ୍ କରି ମେଟାଲ୍ସ ଓ ମିନେରାଲ୍ସ, ଗ୍ରୀନ୍ ଏନର୍ଜି, ଭିତ୍ତିଭୂମି, ଲଜିଷ୍ଟିକ୍ସ ଓ ପର୍ଯ୍ୟଟନ ଭଳି କ୍ଷେତ୍ରକୁ ମିଳିଛି ସୁଯୋଗ। ଏହି ନିବେଶକ ସମ୍ମିଳନୀରୁ ଓଡ଼ିଶାକୁ ୨ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ସହିତ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ସୃଷ୍ଟି ହୋଇଛି। ଗସ୍ତର ଶେଷ ଦିନରେ ଦୁବାଇରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରି ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବାକୁ ଅପିଲ୍ ଦେଇଛନ୍ତି।
ପାଞ୍ଚ ଦିନିଆ UAE ଗସ୍ତର ଶେଷ ଦିନରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ବାନ ଦେଇଛନ୍ତି। IHC ଏବଂ ଅଦାନୀ ଗ୍ରୁପ୍ ମଧ୍ୟରେ ୧୪ଟି ନୂଆ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଏହି ଗସ୍ତର ଏକ ପ୍ରମୁଖ ସଫଳତା। ଏହି ପ୍ରକଳ୍ପଗୁଡ଼ିକରେ ଆନୁମାନିକ ୨ ଲକ୍ଷ ୧୦ ହଜାର ୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ପାଖାପାଖି ୮ ଲକ୍ଷ ୬୮ ହଜାର ୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।