ଲାଞ୍ଚଟଙ୍କା ନେଇ ଫେରାର ହେବା ବେଳେ ଭିଜିଲାନ୍ସହାତରେ ଧରାପଡ଼ିଲେ ଦୁଇ ଅଡିଟ୍ ଅଫିସର

ଭୁବନେଶ୍ୱର,୧୧/୦୯: ମୟୂରଭଞ୍ଜଜିଲ୍ଲା ବାରିପଦା ସହରରୁ ଲାଞ୍ଚଟଙ୍କା ନେଇ ଫେରାର ହେବା ବେଳେ ଭିଜିଲାନ୍ସହାତରେ ଧରାପଡ଼ିଛନ୍ତି ଦୁଇ ଅଡିଟ୍ ଅଫିସର। ଅଟକ ଦୁଇ ଅଧିକାରୀ ହେଉଛନ୍ତି ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପ୍ରଜ୍ଞା ପ୍ରକାଶ ପାତ୍ର (ପୁରୀ ଜିଲ୍ଲା ବାସିନ୍ଦା) ଏବଂ ପ୍ରଶାନ୍ତ ପ୍ରଧାନ (ଭୁବନେଶ୍ୱର ବାସିନ୍ଦା)।

ବିପୁଳ ପରିମାଣର ଲାଞ୍ଚ ଟଙ୍କା ବେଆଇନ ଭାବେ ଆଦାୟ କରି ଏକତ୍ରିତ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଗତ ୮ ରୁ ୧୦ ଦିନ ଧରି ଉଭୟ ଅଧିକାରୀ ବାରିପଦାର ଏକ ହୋଟେଲରେ ରହି ଜିଲ୍ଲାର ବିଭିନ୍ନ ଆଦିବାସୀ ହଷ୍ଟେଲ ଓ ଆଶ୍ରମ ସ୍କୁଲ (ଡିଡବ୍ଲୁଓ ଅଧୀନସ୍ଥ ବିଦ୍ୟାଳୟ) ଗୁଡ଼ିକରେ ଅଡିଟ୍ କାର୍ଯ୍ୟ କରୁଥିଲେ। ଅଡିଟ୍ ବାବଦକୁ ସେମାନେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୫ ରୁ ୧୦ ହଜାର ଟଙ୍କା ଲେଖାଏଁ ବିପୁଳ ପରିମାଣର ଲାଞ୍ଚ ଟଙ୍କା ବେଆଇନ ଭାବେ ଆଦାୟ କରି ଏକତ୍ରିତ କରିଥିଲେ। ଏ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଭିଜିଲାନ୍ସ ଟିମ୍ ଦୀର୍ଘ ଦିନ ହେବ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖି ଟ୍ରାକିଂ ଚଳାଇଥିଲା। ଗତକାଲି ବିଳମ୍ବିତ ରାତିରେ ଉଭୟ ଅଫିସର ବ୍ୟାଗ୍ ଓ ଆଟାଚିରେ ନଗଦ ଟଙ୍କା ଭର୍ତ୍ତି କରି ଏକ ସରକାରୀ ବୋଲେରୋ ଗାଡ଼ି ଯୋଗେ ଖସି ପଳାଇବାକୁ ଯୋଜନା କରୁଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ତତ୍ତ୍ୱାବଧାନରେ ବାରିପଦା ଓ ବାଲେଶ୍ୱର ଭିଜିଲାନ୍ସର ମିଳିତ ଟିମ୍ ସେମାନଙ୍କୁ ରାସ୍ତା ଉପରେ ପିଛା କରି କାବୁ କରିଥିଲା। ଯାଞ୍ଚ ସମୟରେ ଅଧିକାରୀଦ୍ୱୟଙ୍କ ନିକଟରୁ ବ୍ୟାଗ୍ ଭର୍ତ୍ତି ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ବୋଲେରୋ ଗାଡ଼ି ଜବତ କରାଯାଇଛି। ପରେ ସେମାନେ ରହୁଥିବା ହୋଟେଲ ରୁମରେ ମଧ୍ୟ ଚଢ଼ାଉ କରାଯାଇ ଆହୁରି ନଗଦ ଅର୍ଥ ଠାବ ହୋଇଥିବା ବେଳେ ଟଙ୍କା ଗଣତି ଜାରି ରହିଥିଲା। କେବଳ ସେତିକି ନୁହେଁ, ସେମାନଙ୍କ କାର୍ଯ୍ୟାଳୟ ସମେତ ପୁରୀ ଓ ଭୁବନେଶ୍ୱର ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ ଜାରି ରଖିଛି।

 

Leave a Reply

Your email address will not be published. Required fields are marked *