ଦୀର୍ଘ ୧୯ ବର୍ଷ ପରେ କୋଲକାତା ଫେରିଲେ ପ୍ରସିଦ୍ଧ ଏବଂ ସ୍ପଷ୍ଟବାଦୀ ଲେଖିକା ତସଲିମା ନସରିନ

ନୂଆଦିଲ୍ଲୀ,୩୧/୦୭: ଦୀର୍ଘ ୧୯ ବର୍ଷ ପରେ ପୁଣିଥରେ କୋଲକାତା ଫେରିଛନ୍ତି ବାଂଲାଦେଶର ପ୍ରସିଦ୍ଧ ଏବଂ ସ୍ପଷ୍ଟବାଦୀ ଲେଖିକା ତସଲିମା ନସରିନ। ୨୦୦୭ ମସିହାରେ ତାଙ୍କ ପୁସ୍ତକ ‘ଦ୍ୱିଖଣ୍ଡିତ’ଞ୍ଚଞ୍ଚକୁ ନେଇ ଭୟଙ୍କର ବିରୋଧ ପ୍ରଦର୍ଶନ ଓ ଫତୱା ଜାରି ହେବା ପରେ ତାଙ୍କୁ କୋଲକାତା ଛାଡ଼ିବାକୁ ପଡ଼ିଥିଲା। ବର୍ତ୍ତମାନ କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ। କୋଲକାତାକୁ ଫେରି ତସଲିମା କହିଛନ୍ତି, “କୋଲକାତା ମୋ ପାଇଁ କେବଳ ଗୋଟିଏ ସହର ନୁହେଁ, ଏହା ମୋର ଘର” । ଏହାସହ ସେ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କ କହିବା ଅନୁସାରେ, ତାଙ୍କୁ ଏପରି ଲାଗୁଛି ଯେ ସେ ନିଜ ଦେଶକୁ ଫେରି ଆସିଛନ୍ତି। ବଙ୍ଗାଳ ତାଙ୍କ ହୃଦୟରେ କେବେ ବିଭକ୍ତ ହୋଇନଥିଲା। ସେ ଏଠାକୁ ଅତିଥି ଭାବେ ନୁହେଁ, ବରଂ ଏହି ମାଟି ଓ ବଙ୍ଗାଳର ଜଣେ ଅଂଶ ଭାବେ ଫେରିଛନ୍ତି। ତସଲିମା ଆହୁରି କହିଛନ୍ତି ଯେ, ୨୦୦୭ରେ ସେ ନିଜ ଇଚ୍ଛାରେ କୋଲକାତା ଛାଡ଼ିନଥିଲେ। ସେତେବେଳର ପଶ୍ଚିମବଙ୍ଗ ସରକାର ତାଙ୍କୁ ରାଜ୍ୟ ଛାଡ଼ିବାକୁ ବାଧ୍ୟ କରିଥିଲେ। ସରକାର ବଦଳିଲା, କିନ୍ତୁ ତାଙ୍କ ପାଇଁ କୋଲକାତାର ଦ୍ୱାର ଖୋଲିଲା ନାହିଁ। ତଥାପି ସେ ଦିନେ ନା ଦିନେ କୋଲକାତାକୁ ଫେରିବେ ବୋଲି ଆଶା କେବେ ଛାଡ଼ିନଥିଲେ। ସୂଚନାଯୋଗ୍ୟ ଯେ, ୧ ଅଗଷ୍ଟରେ କୋଲକାତାରେ ଆୟୋଜିତ ଏକ ବୃହତ ସାହିତ୍ୟିକ କାର୍ୟ୍ୟକ୍ରମରେ ତସଲିମା ନସ୍ରିନ ଯୋଗଦେବେ। ଏହି କାର୍ୟ୍ୟକ୍ରମରେ ପଶ୍ଚିମବଙ୍ଗର ବିରୋଧୀ ଦଳନେତା ସୁବେନ୍ଦୁ ଅଧିକାରୀ ଏବଂ ବିଶିଷ୍ଟ ସାହିତ୍ୟିକ ଶିର୍ଷେନ୍ଦୁ ମୁଖୋପାଧ୍ୟାୟ ମଧ୍ୟ ଉପସ୍ଥିତ ରହିପାରନ୍ତି।

 

Leave a Reply

Your email address will not be published. Required fields are marked *