ଭୁବନେଶ୍ୱର,୩୧/୦୭: ଓଡ଼ିଶାରେ ଗତ କିଛି ଦିନ ଧରି ହୋଇଥିବା ପ୍ରବଳ ବର୍ଷା କିଛି ସମୟ ପାଇଁ କମିଛି । କିନ୍ତୁ ପୁଣିଥରେ ବର୍ଷା ବଢ଼ିବାର ସମ୍ଭାବନା ଦେଖାଦେଇଛି । ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱର କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ତେବେ ଅଗଷ୍ଟ ୧ ଓ ୨ ତାରିଖ ମଧ୍ୟରେ ଅନେକ ଜିଲ୍ଲାରେ ଭାରୀ ବର୍ଷା ହେବାର ଆଶଙ୍କା ରହିଛି । IMD ପୂର୍ବାନୁମାନ ଅନୁସାରେ ବର୍ଷା ସହ ବଜ୍ରପାତ ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଡ଼ି ପବନ ବହିପାରେ । ଅଗଷ୍ଟ ୨ ତାରିଖରୁ ବର୍ଷାର ତୀବ୍ରତା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି । ତେଣୁ ଲୋକମାନଙ୍କୁ ବଜ୍ରପାତ ସମୟରେ ଘରେ ରହିବା ଓ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।