ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ, ରାଜନୈତିକ ମହଲରେ ଶୋକର ପରିବେଶ

ଭୁବନେଶ୍ୱର,୨୭/୦୭: ଓଡ଼ିଶାର ବରିଷ୍ଠ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଆଜି ପରଲୋକ ହୋଇଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସୁଶାନ୍ତ ସିଂହ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିଲେ । କିଛିଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା, କିନ୍ତୁ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିଲା ଏବଂ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ସୁଶାନ୍ତ ସିଂହ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶା ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କର ରାଜନୈତିକ ଜୀବନରେ ସାଧାରଣ ଲୋକଙ୍କ ସେବା ଏବଂ ବିକାଶମୂଳକ କାର୍ଯ୍ୟ ପାଇଁ ସେ ପରିଚିତ ଥିଲେ । ଶୋକ ତାଙ୍କ ଦେହାନ୍ତ ଖବର ପାଇ ରାଜ୍ୟର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବିଜେଡି ସମେତ ବିଭିନ୍ନ ଦଳର ନେତାମାନେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ବିୟୋଗରେ ଓଡ଼ିଶା ବିଧାନସଭା ପରିସରରେ ଶୋକର ପରିବେଶ ସୃଷ୍ଟି ହୋଇଥିଲା । ବିଧାନସଭା ପକ୍ଷରୁ ପ୍ରଥମେ ତାଙ୍କୁ ସମ୍ମାନର ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହାପରେ ବିଧାନସଭା ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁଶାନ୍ତ ସିଂହଙ୍କ ଜନସେବା, ରାଜନୈତିକ ଅବଦାନ ଏବଂ ସରଳ ବ୍ୟକ୍ତିତ୍ୱକୁ ସ୍ମରଣ କରିଥିଲେ । ତାଙ୍କ ବିୟୋଗକୁ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକ ଇରାଶିଶ ଆଚାର୍ଯ୍ୟ, ବାବୁ ସିଂହ, ନିରଞ୍ଜନ ପୂଜାରୀ, ଗୌତମ ବୁଦ୍ଧ ଦାସ, ନିହାର ମହାନନ୍ଦ, ସୁଶାନ୍ତ ରାଉତ ଓ ଯୋଗେଶ ସିଂହ ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଅନ୍ୟପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକ ‘ଏକ୍ସ’ରେ କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ, ସୁଶାନ୍ତ ସିଂହଙ୍କ ଦେହାନ୍ତ ଖବର ଶୁଣି ସେ ମର୍ମାହତ। ତାଙ୍କ ବିୟୋଗ କେବଳ ବ୍ୟକ୍ତିଗତ କ୍ଷତି ନୁହେଁ, ବରଂ ବିଜୁ ଜନତା ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ ଉଲ୍ଲେଖ କରିଛନ୍ତି । ନବୀନ କହିଛନ୍ତି, ସୁଶାନ୍ତ ସିଂହ ଜଣେ ଦକ୍ଷ ସଂଗଠକ ଭାବେ ଦଳକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ ।

Leave a Reply

Your email address will not be published. Required fields are marked *