ନୂଆଦିଲ୍ଲୀ,୨୭/୦୬: ନିଟ୍ ପ୍ରଶ୍ନପତ୍ର ଲିକ୍କୁ କେନ୍ଦ୍ର କରି ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଓ ବିରୋଧୀଙ୍କ ଆକ୍ରମଣ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ସ୍ପଷ୍ଟ କରି କହିଛନ୍ତି, କୌଣସି ସମୟରେ ସରକାର ଛାତ୍ରଛାତ୍ରୀଙ୍କୁ ପ୍ରତିବାଦ କରିବାରୁ ରୋକିନାହାନ୍ତି । ବରଂ ଛାତ୍ରଙ୍କ ଆନ୍ଦୋଳନ ଚାଲିଥିବା ବେଳେ ସରକାର ନିଟ୍ ପୁନଃପରୀକ୍ଷା ସମୟରେ କରାଇବା ସହ ପ୍ରଶ୍ନପତ୍ର ଲିକ୍ରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଥିବା ସେ କହିଛନ୍ତି । ନିର୍ମଳା ସୀତାରମଣଙ୍କ ଏହି ବୟାନ ଏପରି ସମୟରେ ଆସିଛି, ଯେତେବେଳେ ସଂସଦରେ ବିରୋଧୀ ଦଳ ଛାତ୍ର ଆନ୍ଦୋଳନ ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି କରୁଛି । ବିରୋଧୀଙ୍କ ଅଭିଯୋଗ, ପ୍ରତିବାଦରତ ଛାତ୍ରଙ୍କ ଉପରେ ପୋଲିସ ଅତ୍ୟଧିକ ବଳପ୍ରୟୋଗ କରିଛି ଏବଂ ଏହା ପାଇଁ ସରକାରଙ୍କୁ ଜବାବ ଦେବାକୁ ପଡ଼ିବ । ତେବେ ସରକାର କହିଛନ୍ତି, ଛାତ୍ରଙ୍କ ସ୍ୱରକୁ ଦମନ କରାଯାଇନି, ବରଂ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଓ ଦୋଷୀଙ୍କୁ ଦଣ୍ଡ ଦେବା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏବେ ସଂସଦରେ ଏହି ପ୍ରସଙ୍ଗକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ବାକ୍ଯୁଦ୍ଧ ହେବାର ସମ୍ଭାବନା ରହିଛି ।