ଦିଲ୍ଲୀ-ଏନ୍‌ସିଆରରେ ବଦଳିଛି ପାଗ, ଲୋକଙ୍କୁ ଗରମ ଓ ଗୁଳୁଗୁଳିରୁ ସାମୟିକ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୨/୦୭: ଦିଲ୍ଲୀ-ଏନ୍‌ସିଆରରେ ବଦଳିଛି ପାଗ । ସକାଳୁ ସକାଳୁ ବର୍ଷା ହେବା ଫଳରେ ଲୋକଙ୍କୁ ଗରମ ଓ ଗୁଳୁଗୁଳିରୁ ସାମୟିକ ଆଶ୍ୱସ୍ତି ଦେଇଛି । ଏହାରି ଭିତରେ ପାଣିପାଗ ବିଭାଗ ପକ୍ଷରୁ ଆଜି ଓ ଆସନ୍ତାକାଲି ପାଇଁ ବର୍ଷା ସତର୍କତା ଜାରି କରାଯାଇଛି । କେତେକ ସ୍ଥାନରେ ବଜ୍ରପାତ, ଦମକା ପବନ ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ସକାଳରୁ ଦିନ ମଧ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହା ସହିତ ୨୦ରୁ ୩୦ କିଲୋମିଟର ବେଗରେ  ପବନ ବହିବା ସହ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି । ସନ୍ଧ୍ୟା ଓ ରାତି ସମୟରେ ମଧ୍ୟ କେତେକ ଅଞ୍ଚଳରେ ପୁଣି ବର୍ଷା ହୋଇପାରେ ।ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୧ରୁ ୩୩ ଡିଗ୍ରି ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ୨୪ରୁ ୨୬ ଡିଗ୍ରି ସେଲସିୟସ ମଧ୍ୟରେ ରହିବାର ଆକଳନ କରାଯାଇଛି । ସେପଟେ ଗୁରୁଗ୍ରାମ ଓ ଗାଜିଆବାଦ ଭଳି କେତେକ ଅଞ୍ଚଳ ପାଇଁ ପ୍ରବଳ ବର୍ଷାର ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ପାଣିପାଗ ବିଭାଗ ଲୋକମାନଙ୍କୁ ଅନାବଶ୍ୟକ ବାହାରକୁ ନଯିବା, ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା ଏବଂ ପାଣି ଜମୁଥିବା ଅଞ୍ଚଳରେ ସତର୍କତାର ସହ ଯାତାୟାତ କରିବାକୁ ପରାମର୍ଶ ଦେଇଛି ।

Leave a Reply

Your email address will not be published. Required fields are marked *