ନୂଆଦିଲ୍ଲୀ, ୨୧/୦୭: ଜମ୍ମୁ-କଶ୍ମୀରରେ ଲଗାତାର ଜାରି ରହିଥିବା ପ୍ରବଳ ବର୍ଷା, ଆକସ୍ମିକ ବନ୍ୟା ଓ ଭୂସ୍କଳନ ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ସୋମବାର ବର୍ଷାଜନିତ ଭିନ୍ନ ଭିନ୍ନ ଦୁର୍ଘଟଣାରେ ଆଉ ୧୨ ଜଣଙ୍କର ମୃତ୍ୟୁ ଘଟିବା ସହ ଗତ ଦୁଇ ଦିନ ମଧ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି ଏବଂ ୮ ଜଣ ନିଖୋଜ ରହିଛନ୍ତି। ପାଣିପାଗ ବିଭାଗ ଆଗାମୀ ଦିନଗୁଡ଼ିକରେ ଆହୁରି ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି।ଜମ୍ମୁର ସୀମାନ୍ତ ଜିଲ୍ଲା ପୁଞ୍ଛର ଲୋରାନ-ଡୁମିଲାନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା କାଦୁଅ ଓ ଭୂସ୍କଳନ ଗୋଟିଏ ମାଟି ଘର ଉପରେ ମାଡ଼ି ଯିବାରୁ ଘର ଭିତରେ ଥିବା ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ୨ ବର୍ଷର ଶିଶୁକନ୍ୟା, ୨ ଜଣ ପୁରୁଷ ଓ ଜଣେ ୪ ବର୍ଷର ଶିଶୁପୁତ୍ର ରହିଛନ୍ତି। ଭୂସ୍କଳନ, ଆକସ୍ମିକ ବନ୍ୟା ଏବଂ ନଦୀନାଳର ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସାଧାରଣ ନାଗରିକ ଓ ପର୍ଯ୍ୟଟକମାନଙ୍କୁ ସମ୍ବେଦନଶୀଳ ପାହାଡ଼ିଆ ଅଞ୍ଚଳ ଓ ଜଳାଶୟ ନିକଟକୁ ନଯିବା ପାଇଁ ସତର୍କ କରାଯାଇଛି। ଏନଡିଆରଏଫ୍, ଏସଡିଆରଏଫ୍ ଓ ସ୍ଥାନୀୟ ପୋଲିସ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।