ଭୁବନେଶ୍ୱର,୦୬/୦୭: ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବ ଧୀରେ ଧୀରେ କମିବାକୁ ଯାଉଛି । ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ତେବେ ବର୍ଷା କମିବା ସହ ଲୋକଙ୍କୁ ସାମୟିକ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ପାଣିପାଗ ବିଭାଗ ପୁଣି ଏକ ନୂଆ ସମ୍ଭାବନାର ସଙ୍କେତ ଦେଇଛି। ଆସନ୍ତା ୧୫ରୁ ୧୯ ଜୁଲାଇ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସହ ତାହା ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ଆକଳନ କରାଯାଉଛି।ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦିନଗୁଡ଼ିକର ପାଣିପାଗ ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ଅନୁଯାୟୀ ସତର୍କ ସୂଚନା ଜାରି କରାଯିବ ବୋଲି କୁହାଯାଇଛି।