ଚଳିତ ବର୍ଷର ରଥଯାତ୍ରାରେ ମନଇଚ୍ଛା ମିଳିପାରିବନି କର୍ଡନ ପାସ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୬/୦୭: ଚଳିତ ବର୍ଷର ରଥଯାତ୍ରାରେ ମନଇଚ୍ଛା କର୍ଡନ ପାସ୍ ବଣ୍ଟନ ହେବନାହିଁ । ଏନେଇ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେବଳ ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ଓ ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ହିଁ କର୍ଡନ ପାସ୍ ପ୍ରଦାନ କରାଯିବ । ରଥଯାତ୍ରାର ସୁପରିଚାଳନା ପାଇଁ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବେନିୟମ ଭାବେ କର୍ଡନ ଅଞ୍ଚଳକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଶାଳୀନତାର ସହ ବାରଣ କରାଯିବ । ସେ କହିଛନ୍ତି, ରଥଯାତ୍ରାର ସଫଳ ଆୟୋଜନ ପାଇଁ ‘ସମର୍ପଣ’ ଓ ‘ସମନ୍ୱୟ’ ହିଁ ସବୁଠୁ ବଡ଼ ମନ୍ତ୍ର । ନୀତିକାନ୍ତି, ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ସ୍ୱଚ୍ଛତା ଓ ଗମନାଗମନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ ଓ ସେବକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ତ୍ରୁଟିଶୂନ୍ୟ ରଥଯାତ୍ରା ଆୟୋଜନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ୪୭୫ଟି ସିସିଟିଭି କ୍ୟାମେରା ମାଧ୍ୟମରେ ସହରର ବିଭିନ୍ନ ସ୍ଥାନ ଉପରେ ନଜର ରଖାଯିବ । ଏହାସହ ଧାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ସମସ୍ତ ରୀତିନୀତି ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷର ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି ।

Leave a Reply

Your email address will not be published. Required fields are marked *