ଭୁବନେଶ୍ୱର,୧୭/୦୬: ପାଠ୍ୟପୁସ୍ତକରେ ରହିଥିବା ବିଭିନ୍ନ ତ୍ରୁଟିକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘଟଣାକୁ ଗୁରୁତର ସହ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିକୁ ଆସନ୍ତା ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଜଣେ ଶିକ୍ଷକ ହୋଇଥିବାରୁ ପାଠ୍ୟପୁସ୍ତକରେ ଥିବା ଭୁଲର ଗୁରୁତ୍ୱ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଏହାର ପ୍ରଭାବକୁ ସହଜରେ ଅନୁଭବ କରିପାରିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ନିଜେ ବହି ମଗାଇ ସମସ୍ତ ତ୍ରୁଟିକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିଥିଲେ । ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତଦନ୍ତ ରିପୋର୍ଟ ଆଧାରରେ ଯେଉଁ ଅଧିକାରୀ କିମ୍ବା ସଂସ୍ଥା ଏହି ତ୍ରୁଟି ପାଇଁ ଦାୟୀ ରହିବେ, ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ତୁରନ୍ତ ସମସ୍ତ ତ୍ରୁଟି ସୁଧାରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।