ରାସ୍ତାକଡ଼ ବ୍ୟବସାୟୀଙ୍କ ଖୁସି ଖବର, ତିନୋଟି ଋଣ ପର୍ଯ୍ୟାୟରେ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼

ନୂଆଦିଲ୍ଲୀ,୧୭/୦୬ : ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି । ତିନୋଟି ଋଣ ପର୍ଯ୍ୟାୟରେ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ । ରାସ୍ତାକଡ଼ ବ୍ୟବସାୟୀ (ଷ୍ଟ୍ରିଟ୍ ଭେଣ୍ଡର)ମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ମଞ୍ଜୁର ହେଉଥିବା ତିନୋଟି ଋଣ ପର୍ଯ୍ୟାୟର ହାଇପୋଥିକେସନ୍ ଚୁକ୍ତିପତ୍ର ଉପରେ ଲାଗୁଥିବା ଷ୍ଟାମ୍ପ ଶୁଳ୍କକୁ ସରକାର ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ଆଦେଶ ଅନୁଯାୟୀ, ପିଏମ୍ ସ୍ୱନିଧି ଯୋଜନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଋଣ କିସ୍ତି ସମ୍ବନ୍ଧୀୟ ହାଇପୋଥିକେସନ୍ ଏଗ୍ରିମେଣ୍ଟଗୁଡ଼ିକ ଉପରେ ଷ୍ଟାମ୍ପ ଶୁଳ୍କ ଆଦାୟ କରାଯିବ ନାହିଁ । ଭାରତୀୟ ଷ୍ଟାମ୍ପ ଆଇନ, ୧୮୯୯ର ଧାରା ୯(୧)(କ) ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଏହି ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ଏହି ପଦକ୍ଷେପ ଫଳରେ ରାସ୍ତାକଡ଼ ବ୍ୟବସାୟୀମାନଙ୍କର ଋଣ ନେବା ଖର୍ଚ୍ଚ କମିବା ସହ ଔପଚାରିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମାଧ୍ୟମରେ ସହଜରେ ଋଣ ପାଇବାର ସୁଯୋଗ ବଢ଼ିବ । ଏହା ଦ୍ୱାରା ଛୋଟ ବ୍ୟବସାୟୀମାନଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ସହ ସେମାନଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *