ଆସନ୍ତା ମାସରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହେବା ସମ୍ଭାବନା !

ନୂଆଦିଲ୍ଲୀ,୩୦/୦୫: ଆସନ୍ତା ମାସରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି। ଜୁନ୍ ୧୫ ରୁ ୧୮ ମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ୨୦୨୭ରେ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହାପୂର୍ବରୁ ରାଜନୈତିକ ଓ ସାଂଗଠନିକ ପୁନର୍ଗଠନ ପାଇଁ ବିଜେପି ନେତୃତ୍ୱ ପ୍ରସ୍ତୁତ ହେଉଥିବାରୁ ଅନେକ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ୧୨ରୁ ଅଧିକ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇପାରେ କିମ୍ବା ବିଭାଗ ଅଦଳବଦଳ କରାଯାଇପାରେ ବୋଲି ସୂଚନା ମିଳିଛି । ଦଳୀୟ ସୂତ୍ର ଅନୁଯାୟୀ, ଅତି କମ୍‌ରେ ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ଓ ତିନି ଜଣ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବାର ସମ୍ଭାବନା ରହିଛି। ଆଗାମୀ କିଛି ଦିନ ମଧ୍ୟରେ ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଭାରତୀୟ ରାଜ୍ୟରେ ବିଜେପିର ଦାୟିତ୍ୱ ଦିଆଯିବାର ସମ୍ଭାବନା ରହିଛି। ଏହି ଅଦଳବଦଳରେ ୧୦-୧୨ଟି ମନ୍ତ୍ରଣାଳୟର ନେତୃତ୍ୱ ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଛି, ଅନେକ ମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗରେ ପୁନଃନିଯୁକ୍ତି ଦିଆଯିବ। ଅନ୍ୟପକ୍ଷରେ ଏନ୍‌ଡିଏରେ ବିଜେପିର ସହଯୋଗୀ ଦଳ ଜେଡି(ୟୁ), ଟିଡିପି, ଏନ୍‌ସିପି ଓ ଆର୍‌ଏଲ୍‌ଏମ୍‌ କ୍ୟାବିନେଟ୍‌ ସମ୍ପ୍ରସାରଣରେ ଲାଭାନ୍ବିତ ହେବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *