ନୂଆଦିଲ୍ଲୀ,୨୧/୦୫: ଇବୋଲା ଭାଇରସର ଏକ “ବୁଣ୍ଡିବୁଗ୍ୟୋ” ପ୍ରଜାତି ସହିତ ଜଡିତ ନୂଆ ପ୍ରକୋପ ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ପ୍ରଜାତି ପାଇଁ ଏପର୍ଯ୍ୟନ୍ତ କୌଣସି ଅନୁମୋଦିତ ଟୀକା ନଥିବାରୁ ପରିସ୍ଥିତି ଅଧିକ ଗୁରୁତର ହୋଇପାରେ । ବର୍ତ୍ତମାନ କଙ୍ଗୋ ଏବଂ ଉଗାଣ୍ଡାର କିଛି ଅଞ୍ଚଳରେ ଏହି ପ୍ରକୋପ ଦେଖାଦେଇଛି । ଏପର୍ଯ୍ୟନ୍ତ ୮ଟି ଲ୍ୟାବରେଟରୀରେ ପ୍ରମାଣିତ ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ, ୮୦ରୁ ଅଧିକ ସନ୍ଦିଗ୍ଧ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି । ବିଶେଷଜ୍ଞମାନଙ୍କ ମତରେ, ଦେରିରେ ରୋଗ ଚିହ୍ନଟ ହେବା ଓ ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା କାରଣରୁ ପ୍ରକୃତ ସଂକ୍ରମଣ ସଂଖ୍ୟା ଅଧିକ ହୋଇପାରେ ।କୋଭିଡ୍-୧୯ ପରି ଇବୋଲା ବାୟୁମାର୍ଗରେ ପ୍ରସାରିତ ହୁଏନି। ଡାକ୍ତରମାନେ କହିଛନ୍ତି ଯେ, ଏହା ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ, ଶରୀରର ତରଳ ପଦାର୍ଥ, ଦୂଷିତ ଚିକିତ୍ସା ସାମଗ୍ରୀ ଓ ଅସୁରକ୍ଷିତ ସେବା କିମ୍ବା ଶବଦାହ ପ୍ରକ୍ରିୟା ମାଧ୍ୟମରେ ବ୍ୟାପିଥାଏ। ତଥାପି, ଏହାର ମୃତ୍ୟୁହାର ୨୫ % ୯୦ % ପର୍ଯ୍ୟନ୍ତ ଥାଇପାରୁଥିବାରୁ ଏହା ଅତ୍ୟନ୍ତ ଜଟିଳ ଭାଇରସ୍ ଭାବେ ଗଣାଯାଏ।