ଭୁବନେଶ୍ୱର,୧୮/୦୫: ଆସନ୍ତା ୨୦ ତାରିଖରେ +୨ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ । ଏକାସାଙ୍ଗେ ବାହାରିବ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ । ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଯାହାକୁ ନେଇ ସାରା ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି କରିଥିବା ପରିଶ୍ରମର ଫଳ ଏବେ ଜାଣିବାକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଫଳାଫଳ ପ୍ରକାଶ ପରେ ସରକାରୀ ୱେବସାଇଟ୍ ଓ ସ୍କୁଲ/କଲେଜ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ମାର୍କ ଯାଞ୍ଚ କରିପାରିବେ । ଏହା ସହିତ ମୋବାଇଲ ମାଧ୍ୟମରେ ମଧ୍ୟ ଫଳ ଦେଖିବା ସୁବିଧା ରହିବ ବୋଲି ଆଶା କରାଯାଉଛି । ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ପାଖାପାଖି ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଓ ଧନ୍ଦାମୂଳକରେ ୫ହଜାର ୭୨୧ଜଣ ପରୀକ୍ଷା ଦେଇଥିଲେ।