ଟିଭିକେ ମୁଖ୍ୟ ବିଜୟଙ୍କ ନିକଟରେ ଆବଶ୍ୟକ ସଂଖ୍ୟା ନଥିବାରୁ ସରକାର ଗଠନ ପାଇଁ ପ୍ରତ୍ୟାଖ୍ୟାନ କଲେ ରାଜ୍ୟପାଳ

ଭୁବନେଶ୍ୱର, ୦୭/୦୫: ତାମିଲନାଡୁ ରାଜନୀତିରେ ସରକାର ଗଠନ ଜଟିଳ ରୂପ ଧାରଣ କରିଛି। ‘ଟିଭିକେ’ ମୁଖ୍ୟ ବିଜୟ ଦ୍ୱିତୀୟ ଦିନ ପାଇଁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଜଣାଇଥିଲେ କିନ୍ତୁ ରାଜ୍ୟପାଳ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜୟଙ୍କ ନିକଟରେ ଆବଶ୍ୟକ ସଂଖ୍ୟା ନଥିବାରୁ ରାଜ୍ୟପାଳ ତାଙ୍କୁ ୧୧୮ ଜଣ ବିଧାୟକଙ୍କ ସ୍ୱାକ୍ଷରିତ ସମର୍ଥନ ପତ୍ର ସହ ଆସିବାକୁ କହିଛନ୍ତି। ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବା ପରେ ହିଁ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇପାରିବ ବୋଲି ରାଜଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସରକାର ଗଠନ ପରେ ଯେପରି ସ୍ଥିରତା ବଜାୟ ରୁହେ, ସେଥିପାଇଁ ରାଜ୍ୟପାଳ ଲିଖିତ ସମର୍ଥନ ଉପରେ ଜୋର ଦେଇଛନ୍ତି। ବର୍ତ୍ତମାନର ବିଧାନସଭା କାର୍ୟ୍ୟକାଳ ମେ’ ୯ ତାରିଖରେ ଶେଷ ହେବାକୁ ଥିବାରୁ ରାଜ୍ୟପାଳଙ୍କ ନିକଟରେ ନିଷ୍ପତ୍ତି ନେବା ପାଇଁ ଆଉ ମାତ୍ର କିଛି ଦିନ ସମୟ ବାକି ଅଛି।