ଓମ୍‌ଫେଡ୍ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପିଛା ୧ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର, ୩୦/୦୪: ଓମ୍‌ଫେଡ୍ ପକ୍ଷରୁ କ୍ଷୀର କ୍ରୟ ମୂଲ୍ୟ ବୃଦ୍ଧି କରାଯାଇଛି । ରାଜ୍ୟର ପ୍ରାୟ ୩ ଲକ୍ଷ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ଭାବେ ସହାୟତା କରିବା ପାଇଁ ସରକାର କ୍ରୟ ମୂଲ୍ୟ ବୃଦ୍ଧି କରିଥିବା ବେଳେ ଏହା ପରୋକ୍ଷରେ ଖାଉଟିଙ୍କ ପକେଟ୍ ଉପରେ ବୋଝ ସଦୃଶ ହୋଇଛି । ଗୋଖାଦ୍ୟ, ମେଡିସିନ ଏବଂ ପିଡ଼ିଆ ଭଳି ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଓମ୍‌ଫେଡ୍ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପିଛା ୧ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏହି ନୂତନ ନିଷ୍ପତ୍ତି ଅନୁଯାୟୀ, ଦୁଗ୍ଧ ଚାଷୀମାନେ ପୂର୍ବରୁ ପାଉଥିବା ୩୮.୦୫ ଟଙ୍କା ବଦଳରେ ଏବେ ୩୯.୦୫ ଟଙ୍କା ପାଇବେ । ଏହି ବର୍ଦ୍ଧିତ ଦର ଆସନ୍ତା ମେ ୧, ୨୦୨୬ ରିଖଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । କ୍ରୟ ମୂଲ୍ୟରେ ଏହି ପରିବର୍ତ୍ତନ ହେବା ଫଳରେ ବଜାରରେ କ୍ଷୀରର ବିକ୍ରୟ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି, ଯାହା ମଧ୍ୟବିତ୍ତ ପରିବାର ଏବଂ ସାଧାରଣ ଗ୍ରାହକଙ୍କ ପାଇଁ ଏକ ବଡ଼ ଝଟକା ସାବ୍ୟସ୍ତ ହୋଇପାରେ ।