ଦେଶରେ ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ଉଦ୍‌ଘାଟିତ

ନୂଆଦିଲ୍ଲୀ, ୧୯/୦୪: ଦେଶରେ ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ଇନ୍‌ଫୋ ଭ୍ୟାଲିରେ ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଭାରତର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଗ୍ଲାସ୍ ସେମିକଣ୍ଡକ୍ଟର୍‌ ପ୍ୟାକେଜିଂ ୟୁନିଟ୍‌ ଭୁବନେଶ୍ବର ଇନ୍‌ଫୋ ଭ୍ୟାଲି-୨ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରକଳ୍ପରେ ପ୍ରାୟ ୧୯୪୪ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବାର ଲକ୍ଷ୍ୟ ରହିଛି । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଯୋଗ ଦେଇଛନ୍ତି । ଏହି ପ୍ରକଳ୍ପରୁ ବର୍ଷକୁ ପ୍ରାୟ ୭୦ ହଜାର ପ୍ୟାନେଲ୍‌ ଓ ୧୩,୩୦୦ ଥ୍ରୀଡିଏଚ୍‌ଆଇ ମଡ୍ୟୁଲ୍ ଉତ୍ପାଦନ ଲକ୍ଷ୍ୟ ରହିଛି ।ଏହା ଗ୍ଲାସ୍ ସବ୍‌ଷ୍ଟ୍ରେଟ୍ ଆଧାରିତ ସେମିକଣ୍ଡକ୍ଟର ପ୍ୟାକେଜିଂ ଟେକ୍ନୋଲୋଜି । ଏହା ସେମିକଣ୍ଡକ୍ଟର ଫାବ୍ରିକେସନ୍ ୟୁନିଟ୍‌ ଓ ଥ୍ରୀଡି ଚିପ୍ ପ୍ୟାକେଜିଂ କ୍ଷେତ୍ରରେ ଦେଶରେ ପ୍ରଥମ ହେବାକୁ ଯାଉଛି । ଏଠାରୁ ଯେଉଁ ଚିପ୍ ଉତ୍ପାଦନ ହେବ ତାକୁ ଏରୋସ୍ପେସ୍, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା ବା ଏଆଇ, ୫-ଜି ଟେକ୍ନୋଲୋଜି ଓ ଡାଟା ସେଣ୍ଟରରେ ବ୍ୟବହାର କରାଯିବ । ଏହି ଶିଳ୍ପ ପ୍ରତିଷ୍ଠା ଦ୍ବାରା ପ୍ରାୟ ୨୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦେଶକୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଏହାକୁ ପ୍ରତିଷ୍ଠା କରାଯାଇଛି ।