ନୂଆଦିଲ୍ଲୀ,୧୮/୦୪: ଇରାନ ଆନୁଷ୍ଠାନିକ ଭାବରେ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି। ଇରାନର ମିଳିତ ସାମରିକ କମାଣ୍ଡ ଘୋଷଣା କରିଛି ଯେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପଥରେ କଠୋର ପରିଚାଳନା ପୁନଃସ୍ଥାପନ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନୀ ବନ୍ଦର ଉପରେ ଆମେରିକାର ନୌସେନା ଅବରୋଧ ଉଠାଇବାକୁ ମନା କରିବାର ପ୍ରତିଶୋଧ ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି। ଇରାନ ଶନିବାର ଅବରୋଧକୁ ପ୍ରଭାବଶାଳୀ ଭାବରେ ପୁନଃ ଆରମ୍ଭ କରିଛି। ଆମେରିକା ଯୁଦ୍ଧ ବିରତି ଉଲ୍ଲଂଘନ କରୁଥିବା ଇରାନ ଅଭିଯୋଗ କରିଛି। ନୂତନ ବ୍ୟବସ୍ଥା ଅନୁଯାୟୀ, କେବଳ ଇରାନର ଆଇଆରଜିସି ନୌସେନାରୁ ଅନୁମତି ପାଇଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ଆବଶ୍ୟକୀୟ ଟୋଲ୍ ଦେୟ ଦେବା ପରେ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ଯିବାକୁ ଅନୁମତି ଦିଆଯାଇଛି। ଇରାନର ମିଳିତ ସାମରିକ କମାଣ୍ଡ କହିଛି ଯେ, ଯେପର୍ଯ୍ୟନ୍ତ ଆମେରିକା ଇରାନ ବନ୍ଦର ଅବରୋଧ କରି ରଖିବ ସେପର୍ଯ୍ୟନ୍ତ ତେହେରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନକୁ ଅବରୋଧ କରିବ। ହର୍ମୁଜ ପ୍ରଣାଳୀ ବନ୍ଦ ଯୋଗୁଁ ବିଶ୍ବ ଶକ୍ତି ସଙ୍କଟ ଦେଇ ଗତି କରୁଛି। ଅନ୍ୟପକ୍ଷରେ ଶନିବାର ହର୍ମୁଜ ପ୍ରଣାଳୀ ପାର୍ ହେବାକୁ ଚେଷ୍ଟା କରିବା ସମୟରେ ଜାହାଜ ଉପରେ ଇରାନ ପକ୍ଷରୁ ଗୁଳିଚାଳନା ହୋଇଛି।