ଭୁବନେଶ୍ୱର, ୧୦/୦୪: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତ ଏପ୍ରିଲ ୪ ତାରିଖରେ ରାଜ୍ୟ କ୍ୟାବିନେଟ୍ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିର ବୃହତ୍ତର ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ପୁନଃବିଚାର କରିବା ପାଇଁ ସେ ନିବେଦନ କରିଛନ୍ତି । ସାଂସଦଙ୍କ କହିବା ଅନୁଯାୟୀ, ଭୁବନେଶ୍ୱରର ଦ୍ରୁତ ନଗରୀକରଣ ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମେଟ୍ରୋ ଏକ ଅପରିହାର୍ଯ୍ୟ ଆବଶ୍ୟକତା ଅଟେ । କଟକ ଓ ଖୋର୍ଦ୍ଧାକୁ ମିଶାଇ ଏହି ଅଞ୍ଚଳର ଜନସଂଖ୍ୟା ମେଟ୍ରୋ ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରୁଛି । ପ୍ରକଳ୍ପଟି ସ୍ଥଗିତ ହେଲେ ଭବିଷ୍ୟତରେ ଏହାର ନିର୍ମାଣ ଖର୍ଚ୍ଚ ୨ ରୁ ୪ ଗୁଣ ବୃଦ୍ଧି ପାଇପାରେ ବୋଲି ସେ ସତର୍କ କରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୨୭୪ କୋଟି ଟଙ୍କା ବ୍ୟୟ ହୋଇସାରିଛି । ଏହି ପ୍ରକଳ୍ପ ପର୍ଯ୍ୟଟନର ବିକାଶ ଓ ନିବେଶକୁ ଆକୃଷ୍ଟ କରିବାରେ ସହାୟକ ହେବ। ନିଷ୍ପତ୍ତି ପ୍ରତ୍ୟାହାର କରି ମେଟ୍ରୋ କାର୍ଯ୍ୟ ଆଗକୁ ବଢ଼ାଇବାକୁ ସେ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ।