ନୂଆଦିଲ୍ଲୀ,୦୬/୦୪: ଉତ୍ତର ଭାରତରେ ଏକାଧିକ ପଶ୍ଚିମା ଝଡ଼ ସକ୍ରିୟ ହେବା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଦୁଇଟି ନୂଆ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର ଏବଂ ଝାଡ଼ଖଣ୍ଡ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ କୁଆପଥର ମାଡ଼ ହେବା ସମ୍ଭାବନା ରହିଛି । ୭ ଏବଂ ୮ ଏପ୍ରିଲରେ ଏହି ପାଣିପାଗ ଗତିବିଧି ତୀବ୍ର ହେବ ବୋଲି ସତର୍କ କରାଯାଇଛି । ବିଶେଷ କରି ୭ ଏପ୍ରିଲରେ କାଶ୍ମୀର ଘାଟିର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ମଧ୍ୟ, ପୂର୍ବ ଏବଂ ଦକ୍ଷିଣ ଭାରତରେ ୯ ଏପ୍ରିଲ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମ ମଧ୍ୟପ୍ରଦେଶରେ ୮ ଏପ୍ରିଲ ଏବଂ ବିହାରରେ ୬ ଓ ୮ ଏପ୍ରିଲରେ କୁଆପଥର ମାଡ଼ ହେବା ଆଶଙ୍କା ରହିଛି । ସେହିପରି ଝାଡ଼ଖଣ୍ଡରେ ୬ ରୁ ୮ ଏପ୍ରିଲ ମଧ୍ୟରେ ପାଣିପାଗ ଅସ୍ଥିର ରହିବ । ପଶ୍ଚିମବଙ୍ଗ ଏବଂ ସିକ୍କିମରେ ମଧ୍ୟ ୭ ଏବଂ ୮ ଏପ୍ରିଲରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ଅଛି ।