ସୁନା ଏବଂ ରୁପା ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ଦାମ

ଭୁବନେଶ୍ୱର,୨୬/୦୩:ଗତ କିଛି ଦିନ ଧରି ସୁନା ଏବଂ ରୁପା ମୂଲ୍ୟ କମିବାର ନଜର ଆସୁଥିଲା କିନ୍ତୁ ଆଜି ଉଭୟ ଧାତୁରେ ହ୍ରାସ ସ୍ଥଗିତ ହୋଇଥିବା ପରି ମନେ ହେଉଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ କାରବାର ସମୟରେ ରୁପା ପୂର୍ବ ତୁଳନାରେ ୧୧,୫୦୦ ଟଙ୍କାକୁ ଅଧିକ ବୃଦ୍ଧି ପାଇଥିବା ବେଳେ ସୁନା ମଧ୍ୟ ୫,୫୦୦ ଟଙ୍କା ଅଧିକ ବଢ଼ିଛି । ବୁଧବାର ଦିନ ରୁପା ମୂଲ୍ୟରେ ଅଚାନକ ବୃଦ୍ଧି ଦେଖିବାକୁ ମିଳିଥିଲା । ମେ ୫ ତାରିଖ ପାଇଁ ଏମସିଏକ୍ସ ରୁପା ଫ୍ୟୁଚର୍ସର ଅବଧି ଶେଷ ହେବା ସହିତ ଏହା ୫% ରୁ ଅଧିକ ବୃଦ୍ଧି ପାଇଛି । ପୂର୍ବ କାରବାର ଦିନମାନଙ୍କରେ ଏହି ମୂଲ୍ୟବାନ ଧାତୁ ପ୍ରତି କିଲୋଗ୍ରାମ ୨ଲକ୍ଷ ୨୩ହଜାର ୯୪୧ ଟଙ୍କାରେ ବନ୍ଦ ହୋଇଥିବା ବେଳେ ଏହାର ଆରମ୍ଭ କିନ୍ତୁ ମଜବୁତ ଥିଲା । ଯାହା ବଢ଼ି ବଢ଼ି ଶେଷରେ ୨ଲକ୍ଷ,୩୭ହଜାର ୩୫୦ ଟଙ୍କାକୁ ବଢ଼ିଥିଲା ।  ତେବେ ଖାଲି ରୁପା ନୁହେଁ ସୁନା ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ସୁନା ମୂଲ୍ୟ ବୃଦ୍ଧି ବିଷୟରେ କହିବାକୁ ଗଲେ ଏପ୍ରିଲ ୨ ରେ ଏକ୍ସପାୟାର୍ ହେଉଥିବା ସୁନା ଫ୍ୟୁଚର୍ସ ବଜାରରେ ୧ଲକ୍ଷ ୪୬ ହଜାର ୪୬୦ ଟଙ୍କାରେ ଖୋଲିଛି । ଯାହା ମଙ୍ଗଳବାର ଦିନ ପ୍ରତି ୧୦ ଗ୍ରାମ ୧ଲକ୍ଷ ୪୨ ହଜାର ୧୯୫ ଟଙ୍କାରେ ବନ୍ଦ ହୋଇଥିଲା । ଆଉ ବନ୍ଦ ହେବାର କିଛି ମିନିଟ୍ ପରେ ହିଁ ସୁନା ମୂଲ୍ୟ ବଢ଼ିବାକୁ ଲାଗିଲା ଏବଂ ୧ ଲକ୍ଷ ୪୮ ହଜାର ୪୪୨ ଟଙ୍କାରେ ପହଞ୍ଚିଲା । ଫଳସ୍ବରୂପ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପାଇଁ ୬,୨୪୭ ଟଙ୍କାକୁ ବୃଦ୍ଧି ପାଇଲା ।