ଭୁବନେଶ୍ୱର,୨୬/୦୩: ଆଜି ପବିତ୍ର ଅଶୋକାଷ୍ଟମୀ । ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିବ ଅଣଲେଉଟା ରୁକୁଣା ରଥ । ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ତାଙ୍କ ସହ ରଥରେ ବିରାଜିବେ ଶକ୍ତିସ୍ବରୂପିଣୀ ମା’ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ । ଲକ୍ଷଲକ୍ଷ ଭକ୍ତଙ୍କ ସମାବେଶରେ ଉଛୁଳି ଉଠିବ ରଥଦାଣ୍ଡ । ହରିବୋଲ, ହୁଳହୁଳି ଶବ୍ଦ ସାଙ୍ଗକୁ ପାରମ୍ପରିକ ବାଦ୍ୟ ବାଜିବା ସହ ଏବଂ ଲୋକକଳା, ଲୋକନୃତ୍ୟର ସମାହାରରେ ପଡ଼ିବ ଉଠିବ । ରଥ ଆଗେ ଚାଲିଥିବ ବିଶାଳ ପଟୁଆର । ଖରାକୁ ଖାତିର କରିବେନି ଭକ୍ତ । ଡାହୁକ କୁହାଟ ପକାଉଥିବ ଓ ରଥ ଗଡ଼ୁଥିବ ଆଗକୁ ଆଗକୁ, ରାମେଶ୍ବର ମନ୍ଦିର ଅଭିମୁଖେ । ଏଭଳି ମୁହୂର୍ତ୍ତକୁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ମନ୍ଦିର ପ୍ରଶାସନ, ବିଏମ୍ସି ଓ କମିସନରେଟ୍ ପୁଲିସ ପକ୍ଷରୁ ସବୁ ପ୍ରସ୍ତୁତି ସରିଛି ।