ନୂଆଦିଲ୍ଲୀ,୨୪/୦୩: ଧର୍ମାନ୍ତୀକରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସୁପ୍ରିମକୋର୍ଟ କହିଛନ୍ତି, କୌଣସି ବ୍ୟକ୍ତି ହିନ୍ଦୁ, ଶିଖ ଓ ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମକୁ ଆପଣାଇଲେ ସେମାନଙ୍କୁ ଅନୁସୂଚିତ ଜାତିର ସଦସ୍ୟ ଭାବେ ଗ୍ରହଣ କରାଯିବ ନାହିଁ । ଅନ୍ୟ କୌଣସି ଧର୍ମରେ ସାମିଲ ହେଲେ ଅନୁସୂଚିତ ଜାତିର ମାନ୍ୟତା ସମାପ୍ତ ହେବ । ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ରାୟକୁ ସଂରକ୍ଷିତ ରଖି ଏଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆନ୍ଧ୍ର ହାଇକୋର୍ଟ ଏକ ମାମଲାରେ ରାୟ ଦେଇ କହିଥିଲେ, କୌଣସି ବ୍ୟକ୍ତି ଖ୍ରୀଷ୍ଟିଆନ ଧର୍ମକୁ ଆପଣାଇବା ସହ ଏହାକୁ ପାଳନ କରୁଥିଲେ ସେମାନଙ୍କୁ ଅନୁସୂଚିତ ଜାତି ତାଲିକାରୁ ବାଦ୍ ଦିଆଯିବ । କେବଳ ସମ୍ବିଧାନ ଯେଉଁମାନଙ୍କୁ ଅନୁସୂଚିତ ଜାତି ତାଲିକାରେ ଅର୍ନ୍ତଭୁକ୍ତ କରିଛି ସେମାନଙ୍କୁ ଏହି ମାନ୍ୟତା ମିଳିବ । ଆନ୍ଧ୍ର ହାଇକୋର୍ଟ ଶୁଣାଣି କରିଥିବା ମାମଲାରେ, ଜଣେ ଅନୁସୂଚିତ ଜାତିର ବ୍ୟକ୍ତି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ଏହାକୁ ପାଳନ କରୁଥିଲେ । ପରେ ମାରପିଟକୁ ନେଇ କିଛି ବ୍ୟକ୍ତିଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ଅନୁଯାୟୀ ମାମଲା ଦାୟର କରି ସୁରକ୍ଷା ମାଗିଥିଲେ । ଯାହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅପରପକ୍ଷ। ଏହାର ଶୁଣାଣି କରି କୋର୍ଟ କହିଥିଲେ ଜାତିବ୍ୟବସ୍ଥା ଖ୍ରୀଷ୍ଟିଆନ ଧର୍ମରେ ନାହିଁ । ତେଣୁ ଅଭିଯୋଗକାରୀଙ୍କୁ ଏସସି/ଏସଟି ଅଧିନିୟମରେ ମିଳୁଥିବା ସୁବିଧାରୁ ବଞ୍ଚିତ କରାଯିବା ଆବଶ୍ୟକ ।