ଆମେରିକାରେ ଖସିଲା ୭ ଟନ୍ ଓଜନର ଉଲ୍‌କାପିଣ୍ଡ

ନୂଆଦିଲ୍ଲୀ,୧୯/୦୩: ପ୍ରତିଦିନ ପୃଥିବୀର ବାୟୁମଣ୍ଡଳରେ ଉଲ୍‌କାପାତ ହୋଇଥାଏ। ରାତିରେ ଏହା ଉଜ୍ଜ୍ୱଳ ଆଲୋକ ଭାବରେ ଦେଖାଯାଏ। ଆମେରିକାର ଓହିଓର କ୍ଲିଭଲ୍ୟାଣ୍ଡରେ ଦିନ ସମୟରେ ଏକ ବଡ଼ ଉଲ୍‌କାପିଣ୍ଡ ଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି । ଆମେରିକାର ମହାକାଶ ସଂସ୍ଥା ନାସାର ଉଲ୍‌କା ପରିବେଶ କାର୍ଯ୍ୟାଳୟ ନିଶ୍ଚିତ କରିଛି,ଏହାର ବ୍ୟାସ ପ୍ରାୟ ୬ ଫୁଟ ଏବଂ ଓଜନ ୭ ଟନ୍ ଥିଲା । ସୂଚନା ଅନୁଯାୟୀ ଉଲ୍‌କା ଘଣ୍ଟା ପ୍ରତି ପ୍ରାୟ ୭୨,୪୦୦ କିଲୋମିଟର ବେଗରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା। ଉଲ୍‌କାପିଣ୍ଡଟି ପ୍ରଥମେ ଲୋରେନ୍ ନିକଟରେ ଏରି ହ୍ରଦ ଉପରେ ପ୍ରାୟ ୮୦ କିଲୋମିଟର ଉପରେ ଦେଖାଯାଇଥିଲା। ଏହା ଉପର ବାୟୁମଣ୍ଡଳ ଦେଇ ଗତି କରିବା ସମୟରେ, ଦ୍ରୁତ ଗତିରେ ଦକ୍ଷିଣ-ପୂର୍ବ ମୁହାଁ ହୋଇଥିଲା। ଉଲ୍‌କାପିଣ୍ଡଟି ଓହିଓରେ ପ୍ରାୟ ୪୮ କିଲୋମିଟର ଉପରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଏଥିରୁ ନିର୍ଗତ ଶକ୍ତି ଭୟଙ୍କର ଥିଲା। ନାସା ଆକଳନ କରିଛି, ଏହାର ବିସ୍ଫୋରଣରୁ ୨୫୦ ଟନ୍ ଟିଏନ୍‌ଟି(ଟ୍ରାଇ ନାଇଇଟ୍ରୋ ଟୁଲିନ୍) ବିସ୍ଫୋରକ ଭଳି ସମାନ ଶକ୍ତି ନିର୍ଗତ ହୋଇଥିଲା। ଏହା ଏକ ବଡ଼ ସାମରିକ-ଗ୍ରେଡ୍ ବିସ୍ଫୋରଣ ସହିତ ସମାନ ଥିଲା ।ଏହାର ଉଜ୍ଜ୍ୱଳତା ଏତେ ଶକ୍ତିଶାଳୀ ଥିଲା ଯେ ୱାଶିଂଟନ, ଡିସି ଏବଂ କାନାଡାର ଓଣ୍ଟାରିଓ ସମେତ ଅନ୍ୟୂନ ୧୦ଟି ଆମେରିକୀୟ ରାଜ୍ୟର ଲୋକମାନେ ଏହାକୁ ଦେଖିଥିଲେ।

Leave a Reply

Your email address will not be published. Required fields are marked *